ପାଣି ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର୍‌.ଉଦୟଗିରି,୧୪ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଆର୍‌. ଉଦୟଗିରି ବ୍ଲକ ସଦର ମହକୁମାରେ ଲାଗିରହିଛି ପାନୀୟ ଜଳ ସମସ୍ୟା। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଲେ ମଧ୍ୟ ନିଘୋଡ଼ ନିଦ୍ରାରେ ବ୍ଲକ ଅଧିକାରୀ। ପରିଶେଷରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଗ୍ରାମର ମହିଳା ଓ ପୁରୁଷ ବୁଧବାର ୩୨୬ ଏ ଜାତୀୟ ରାଜପଥ ଅବରୋଧ କରିଥିଲେ। ଯାହାଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହି ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଆର୍‌ ଉଦୟଗିରି ପୋଲିସ ଓ ବିଡିଓ ଲରିମନ ଖୋସଲା ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଅତିଶୀଘ୍ର ପାଣିର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଯାତାୟାତ ସ୍ବାଭାବିକ ପରିସ୍ଥିତି ହୋଇଛି।