ମୋରଡା,୨୩।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଫଳରେ ଉକ୍ତ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ସୋମବାର ଦିନ ୧୨ଟା ସମୟରେ ଉକ୍ତ ଥାନା ଅଧୀନ ଡେଙ୍ଗାଶୋଳ ଲୋଧା ସାହି ନିକଟରେ ଚାରିଜଣ ଯୁବକ ଏକ ପିଲାକୁ ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଗାଁ ଲୋକେ ଦେଖି ଉକ୍ତ ଚାରି ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାସ୍ଥଳରୁ ତିନି ଜଣ ଯୁବକ ଫେରାର ହେବାକୁ ସକ୍ଷମ ହୋଇଥିବାବେଳେ ଜଣଙ୍କୁ ଗାଁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପରେ କୌଣସି ସୂତ୍ରରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ପୋଲିସ ମୃତଦେହ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି। ମୃତ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ କହିଥିବା ବେଳେ କିନ୍ତୁ ତାଙ୍କ ପରିଚୟ ଦେଇ ପାରି ନଥିଲେ। ତେବେ ପିଲା ଚୋରି ମୋରଡା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ଗତକାଲି କୋହି ଗ୍ରାମରେ ଲୋକେ ଠେଙ୍ଗା, ବାଡ଼ି ଧରି ରାତି ତମାମ ଗାଁକୁ ଜଗିଥିବାର ଦେଖିବାକୁ ମିଳିଛି।