ନଦୀ ପାର୍‌ ପାଇଁ ସାହାରା ପାଲଟିଛି ଦୌଡି: ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି ଗ୍ରାମବାସୀ

ମୋହନା, ୨୮।୮( ମନ୍ମଥ ମିଶ୍ର ): ନଦୀ ପାର ପାଇଁ ଦୌଡି ହିଁ ପାଲଟିଛି ଗ୍ରାମବାସୀଙ୍କ ସାହା ଭରସା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତ ବାଙ୍କୀଝୋଳା ଗାଁରେ। କିଛିଦିନ ହେବ ଲଗାଣ ବର୍ଷା ଯୋଗୁ ଏହି ନଦୀରେ ଜଳ ବୃଦ୍ଧି ପାଇବା ପରେ ବାଙ୍କଝୋଳା, ଚଡିଆପଦା ଓ ଜକରାପଲି ଗ୍ରାମବାସୀ ଏହି ଦୌଡି ସହାୟତାରେ ସ୍କୁଲ କଲେଜ , ପଞ୍ଚାୟତ , ମେଡ଼ିକାଲ ଓ ଦୈନିକ ହାଟ ବଜାର ଏହିଭଳି ବିପଦସଙ୍କୁଳ ଅବସ୍ଥାରେ ପାର୍‌ ହେଉଛନ୍ତି । ବର୍ଷା ଋତୁରେ ଏହି ଦୌଡି ହିଁ ତିନିଖଣ୍ଡ ଗ୍ରାମବାସୀଙ୍କ ପାଇଁ ସାହା ଭାରସା ପଲଟି ଯାଉଛି। ସମସ୍ୟା ନେଇ ନେଇ ବାରମ୍ବାର ଜିଲା ପ୍ରଶାସନ ସହ ବ୍ଲକ ପ୍ରଶାସନକୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନି। ଏ ନେଇ ଜିଲାପାଳ କହିଛନ୍ତି, ଗ୍ରାମ ଉନ୍ନୟନ ବିଭାଗ ଓ ବିଡ଼ିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।