ଅଶାନ୍ତ ଗାଁ: ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ

ଭୋଗରାଇ,୨୦ା୯(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୋପୀନାଥପୁର ପଞ୍ଚାୟତ ଉକ୍ତ ଗ୍ରାମର ସରକାରୀ ଜାଗା ମାପଚୁପକୁ କେନ୍ଦ୍ର କରି ଶୁକ୍ରବାର ମଧ୍ୟାହ୍ନରେ ଗ୍ରାମବାସୀଙ୍କ ସହିତ ପ୍ରଶାସନ ମୁହାଁମୁହିଁ ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରଶାସନ ଓ ଗ୍ରାମବାସୀଙ୍କ ଦୀର୍ଘସମୟ ଯୁକ୍ତିତର୍କରେ ଆଇନଶୃଙ୍ଖଳା ବିଗିଡିଯାଉଥିବା ବେଳେ ପ୍ରଶାସନର ଉପସ୍ଥିତ ବୁଦ୍ଧି ଓ ପ୍ରତିଶ୍ରୁତି ପରେ ଉତ୍ତେଜିତ ଗ୍ରାମବାସୀ ନରମିଥିଲେ।
ସୂଚନାନୁଯାୟୀ, ଗୋପୀନାଥପୁର ଗ୍ରାମର କେତେକ ସରକାରୀ ଜାଗା ଚି଼ହ୍ନଟ ଓ ଉଚ୍ଛେଦ ନିମନ୍ତେ ଗ୍ରାମର ଏକ ଗୋଷ୍ଠୀ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଗ୍ରାମର ଅନ୍ୟ ଏକ ବଡ଼ ଗୋଷ୍ଠୀ ମଧ୍ୟ ଅନୁରୂପ ଭାବେ ଗ୍ରାମର ସମସ୍ତ ସରକାରୀ ଜାଗା ଚି଼ହ୍ନଟ ଓ ଉଚ୍ଛେଦ ନିମନ୍ତେ ଦାବି ରଖିଥିଲେ। ଏହି ସରକାରୀ ଜାଗାକୁ ନେଇ ୨୦୨୩ ମସିହାରୁ ଗ୍ରାମରେ ବିବାଦ ଲାଗି ରହିଥିଲା। ସରକାରୀ ସ୍ତରରେ ୩ଥର ମାପଚୁପ ହୋଇଥିଲେ ମଧ୍ୟ ସମାଧାନର ରାସ୍ତା ଫିଟି ନ ପାରି ଗ୍ରାମରେ ଅସନ୍ତୋଷ କୁହୁଳିଥିଲା। ଉକ୍ତ ଗ୍ରାମର ୪ଟି ଘରବାଡି ସରକାରୀ ଜାଗା ଅବରୋଧ କରାଯାଉଥିବା ଏକ ଗୋଷ୍ଠୀ ପ୍ରଶାସନ ଓ କୋର୍ଟରେ ପିଟିସନ କରିଥିବା ବେଳେ ଗ୍ରାମର ଅନ୍ୟ ଏକ ବଡଗୋଷ୍ଠୀ ଗ୍ରାମରେ ଥିବା ୨୩ଏକର ସରକାରୀ ଜାଗା ଅବରୋଧ କରିଥିବା ବ୍ୟକ୍ତିଙ୍କୁ ଉଚ୍ଛେଦ ଦାବିରେ ମଧ୍ୟ ଜିଲା ପ୍ରଶାସନ ଓ କୋର୍ଟରେ ଅପିଲ କରିଥିଲ। ଏଭଳି ସ୍ଥିତିରେ କୋର୍ଟ ଅର୍ଡର ଅନୁଯାୟୀ ଭୋଗରାଇ ଅତିରିକ୍ତ ତହସିଲଦାର ପ୍ରତାପ କୁମାର ବେହେରା, ଥାନାଧିକାରୀ ରୋହିତ କୁମାର ବଳ, ରାଜସ୍ବ ନିରୀକ୍ଷକଙ୍କ ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ଗୋପୀନାଥପୁର ଗ୍ରାମରେ ପହଞ୍ଚି ସରକାରୀ ଜାଗା ମାପଚୁପ ଉଦ୍ୟମ କରୁଥିବାବେଳେ ଶତାଧିକ ଗ୍ରାମବାସୀ ଗ୍ରାମରେ ଥିବା ସମସ୍ତ ସରକାରୀ ଜାଗା ଚି଼ହ୍ନଟ କରାଯାଉ ବୋଲି ଅଡ଼ି ବସି ପ୍ରତିବାଦ କରିଥିଲେ। ପ୍ରଶାସନର ତରବରିଆ ମାପଚୁପ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ପକ୍ଷପାତିତା ବୋଲି ଅଭିଯୋଗ କରି ଗ୍ରାମବାସୀ ନ୍ୟାୟ ପାଇଁ ଦାବି କରି ନାରାବାଜି ପ୍ରଦର୍ଶନ କରିଥିଲେ। ସ୍ଥିତି କ୍ରମଶଃ ବିଗିଡିଯାଉଥିବା ବେଳେ ରାଜସ୍ବ ବିଭାଗ, ଥାନାଧିକାରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ନରମ ମନୋଭାବ ଓ ପ୍ରତିଶ୍ରୁତି ଦେବାରୁ ଗ୍ରାମବାସୀ ଶାନ୍ତ ପଡିଥିଲେ। ପରେ ଗ୍ରାମରେ ସରକାରୀ ଜାଗା ଚି଼ହ୍ନଟ ପାଇଁ ପ୍ରଶାସନ ଉପସ୍ଥିତିରେ ଚେନ ପକାଇ ମାପଚୁପ ହୋଇଥିଲା। ଉଲ୍ଲେଖନୀୟ ଯେ, ଗତ ମାର୍ଚ୍ଚ ୩୦ତାରିଖରେ ଉକ୍ତ ଗ୍ରାମର ସରକାରୀ ଜାଗାରେ ଉଭୟ ଗୋଷ୍ଠୀର ମଧୁ ପାର୍ବଣର ବାସନ୍ତୀ ମୂର୍ତ୍ତି ସହ ପାର୍ଶ୍ୱଦେବୀଦେବଙ୍କ ମୁଣ୍ଡ କାଟକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ଉକ୍ତ ସ୍ଥାନରେ କେହି ପୂଜା କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଟକଣା ଲାଗିଥିଲା।