କେସିଙ୍ଗା,୨୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସମସ୍ତ ୨୬ଟି ଗ୍ରାମ ପଞ୍ଚାୟତରେ ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସୋମବାର ଦିନ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ଗ୍ରାମ ସଭାଗୁଡ଼ିକରେ ୨୦୨୬-୨୭ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିରେ ମୁଖ୍ୟତଃ ରାସ୍ତା ନିର୍ମାଣ, ନାଳ, ପାନୀୟ ଜଳ ଯୋଗାଣ, ବିଦ୍ୟୁତକରଣ ଏବଂ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (GPDP) ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ବାଲସି ଗ୍ରାମ ପଞ୍ଚାୟତରେ ସରପଞ୍ଚ ନବ କିଶୋର ସାହୁଙ୍କ ସଭାପତିତ୍ୱରେ ଗ୍ରାମ ସଭା ଅନୁଷ୍ଠିତ ହୋଇଥିବା ବେଳେ, କସୃପଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଅରୁଣା ନାଏକଙ୍କ ସଭାପତିତ୍ୱ ଏବଂ ପିଇଓ ପ୍ରେମଚନ୍ଦ ରଣାଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ଏହିପରି ପରଲସିଙ୍ଗା, କାଣ୍ଡେଲ, ଶିରୋଲ, ନୂନମାଠ, ତୁର୍ଳାଖମନ, ତୁଣ୍ଡଳା, ହାତୀ ଖୋଜ, ବେଳଖଣ୍ଡି, ସିର୍ଜା ପାଲି, ବୋରିଆ, ଉତକେଲା, ଅଧମୁଣ୍ଡା ସମେତ ସମସ୍ତ ୨୬ଟି ପଞ୍ଚାୟତରେ ସଭା ସମ୍ପନ୍ନ ହୋଇଛି।
ସମସ୍ତ ଗ୍ରାମ ସଭାରେ ନାଏବ ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ସମିତି ସଭ୍ୟ, ସାଧାରଣ ଜନତା, MBK, CRP, ପ୍ରଧାନ ଶିକ୍ଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସ୍ୱାସ୍ଥ୍ୟ କର୍ମୀ ଏବଂ ସମସ୍ତ ଲାଇନ ବିଭାଗ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।