ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର-ଦିଗପହଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥର ସନ୍ଥ ନିରଙ୍କାରି ସତସଙ୍ଗ ଭବନ ନିକଟରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମ ନୂଆସାହିର ଶଙ୍କର ପାତ୍ର (୨୧) । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ସହ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଖବରରୁ ଜଣାପଡିଛି, ବୁଧବାର ସନ୍ଧ୍ୟାରେ ଶଙ୍କରଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ବାଇକ୍ରେ ଦିଗପହଣ୍ଡି ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଉଥିଲେ। ରାସ୍ତା ପ୍ରଶସ୍ତୀକରଣ ଚାଲିଥିବା ବେଳେ ଠିକାଦାର ସତର୍କ ସୂଚନା ଫଳକ ଲଗାଇ ନ ଥିବାରୁ ଶଙ୍କର ଜାଣି ନ ପାରି ରାସ୍ତାର ର଼୍ୟାମ୍ପକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଶଙ୍କର ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ଶଙ୍କରଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ଶଙ୍କରଙ୍କ ମୃତ୍ୟୁ ଘଟିଛି।
ରବିବାର ସନ୍ଧ୍ୟାରେ ମୃତଦେହ ଗାଁରେ ପହଞ୍ଚିବା ପରେ ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ପାଟପୁର ଥାନାରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ସହ ଆଲୋଚନା କରିଥିଲେ। ସୋମବାର ଏନେଇ ସମ୍ପୃକ୍ତ ଠିକାଦାରଙ୍କ ସହ କଥା ହୋଇ କ୍ଷତିପୂରଣ ବ୍ୟବସ୍ଥା କରିବେ ବୋଲି ପୋଲିସଠାରୁ ପ୍ରତିଶ୍ରୁତି ପାଇ ଗ୍ରାମବାସୀ ଗାଁକୁ ଫେରି ଶଙ୍କରଙ୍କ ଅନ୍ତିମ ସଂସ୍କାର କରିଥିଲେ।