ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। କୌଣସି କାମରେ ରଙ୍କ ତାଙ୍କ ସମ୍ପର୍କୀୟ ଚଳାଉଥିବା ସ୍କୁଟି ପଛରେ ବସି ଯାଉଥିବା ବେଳେ ଗାଁ ରେ ଥିବା ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ପୋଖରୀ ସମ୍ମୁଖ ରାସ୍ତାରେ ସ୍କୁଟିର ପଛ ଚକା ଲିକ୍ ହୋଇଯିବାରୁ ସ୍କୁଟି ଚାଳକ ନିୟନ୍ତ୍ରଣ ହରାଇ ପଡ଼ିଯାଇଥିଲେ। ରଙ୍କଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ଚେତା ନ ଫେରିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ ଏତଲା ହେବାପରେ ପୋଲିସ ମାମଲା ରୁଜୁ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ତାଙ୍କ ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ରଙ୍କ ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିଲେ ମଧ୍ୟ ଗାଁର ବିଭିନ୍ନ ସମସ୍ୟା, ଯାନି ଯାତ୍ରାରେ ତାଙ୍କୁ ଲୋଡା ଯାଉଥିଲା। ସେ ତାଙ୍କ ଜାତିକୁଳ ସଭାର କାର୍ଯ୍ୟକର୍ତ୍ତା ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ।