ହାଟଡିହୀ,୨୪ ।୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲି ଘାଟରୁ ବେଆଇନ ଭାବେ ବାଲି ଉଠାଣକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଶୁକ୍ରବାର ସ୍ଥାନୀୟ ଲୋକ ବେଆଇନ ବାଲି ଉଠାଣକୁ ବିରୋଧ କରି ଧୂଧୂ ଖରାରେ ନଈ ଭିତରେ ବସିଥିଲେ। ବାଲି ମାଫିଆଙ୍କୁ ବାଲି ଉଠାଇ ଦେବୁ ନାହିଁ ଜିଦ୍ରେ ଗ୍ରାମବାସୀ ଅଡ଼ି ବସିଥିଲେ। ଅପର ପକ୍ଷେ ସଚେତନ ନାଗରିକ ମାନେ ବାଲି ସତ୍ୟାଗ୍ରହ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଯାହାକି ଏବେ ପ୍ରଶାସନ ପାଇଁ ମୁଖ୍ୟ ଚିନ୍ତାର କାରଣ ସାଜିଛି।
ସୂଚନା ଯୋଗ୍ୟ, ଉକ୍ତ ପ୍ରସଙ୍ଗକୁ ନେଇ ନିକଟ ଅତୀତରେ ସ୍ଥାନୀୟ ଲୋକ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ନଈ ଘାଟକୁ ଯାଇଥିବା ରାସ୍ତାରେ ଟ୍ରେଞ୍ଚ ଖୋଳା ଯିବା ପରେ ଏବଂ ବାଲି ଚୋରା ଚାଲାଣକୁ ରୋକାଯିବା ନେଇ ଉପଜିଲାପାଳ ପ୍ରତଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ପୁଣି ପୂର୍ବପରି ବାଲି ମାଫିଆ ସକ୍ରିୟ ହୋଇ ବାଲି ଉଠାଣ କରିବାରୁ ସ୍ଥାନୀୟ ଲୋକ ନଈ ଭିତରେ ବସି ପ୍ରତିବାଦ କରିଥିଲେ ।