ନୂଆପଡ଼ା,୨ା୧ (ମକାରୁ ବେମାଲ):ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁ ଅନେକ ସ୍ଥାନରେ ଏସବୁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି। ଏପରି ଏକ ଦୃଶ୍ୟ ନୂଆପଡ଼ା ଜିଲା କୋମନା ବ୍ଲକ୍ ସିଆଲଲଟି ପଞ୍ଚାୟତ ବାଗମୁଣ୍ଡା ଗାଁର ଭୂର୍ଷିପଡ଼ାରେ ଦେଖିବାକୁ ମିଳିଛି।
ଭୂର୍ଷିପଡ଼ାରେ ଆଦିବାସୀ ସମ୍ପ୍ରଦାୟର ୩୦ ପରିବାରରେ ୧୫୦ରୁ ଅଧିକ ଲୋକ ବସବାସ କରିଆସୁଛନ୍ତି। ବିଜୁ ଏକ୍ସପ୍ରେସ୍ ୱେଠାରୁ ଭୂର୍ଷିପଡ଼ାକୁ ପ୍ରାୟ ଦେଢ କି.ମି. ଭଲ ରାସ୍ତା ନ ଥିବାରୁ ଲୋକେ ଜମି ହିଡ଼ରେ ଅସୁବିଧାରେ ଯିବାଆସିବା କରନ୍ତି। ସାଇକେଲ ବା ଅନ୍ୟ ଯାନବାହନ ଯିବା ପାଇଁ ୩କି.ମି. ରାସ୍ତା ବୁଲି ଯିବାକୁ ପଡ଼େ। ଗାଁରେ ପ୍ରାଥମିକ ବିଦ୍ୟାଳୟ ନ ଥିବାରୁ କୋମଳମତି ଶିଶୁମାନେ ୪ କି.ମି. ଝିପାବାହାଲ ଗାଁ ସ୍କୁଲକୁ ପଢିବାକୁ ଯାଉଛନ୍ତି। ଜମି ହିଡ଼ରେ ଯାଇ ବିଜୁ ଏକ୍ସପ୍ରେସ୍ ୱେ ପାରିହେବାକୁ ପଡୁଥିବାରୁ ଛୋଟ ପିଲାମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଗାଁରେ ଅଙ୍ଗନୱାଡି କେନ୍ଦ୍ର ନାହିଁ। ଫଳରେ ଶିଶୁମାନେ ପ୍ରାକ୍ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗାଁ ଭିତରେ ପାଇପ୍ଲାଇନ ଯାଇ ଘରକୁ ଘର ଷ୍ଟାଣ୍ଡପୋଷ୍ଟ ବସାଯାଇଛି। ହେଲେ ଜଳ ଯୋଗାଣ ନ ହେବାରୁ ଗ୍ରାମବାସୀ ଫ୍ଲୋରାଇଡ୍ଯୁକ୍ତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ା ଗାଁରେ ଅଧିକାଂଶ ବୃଦ୍ଧାବୃଦ୍ଧ, ମହିଳା, ଶିଶୁଙ୍କ ଆଧାର କାର୍ଡ ନାହିଁ। ନୂତନ ଆଧାର କାର୍ଡ ପାଇଁ ଅନେକଥର ଅନ୍ଲାଇନ କରିବା ସହ ଆଧାର କେନ୍ଦ୍ର ଓ ବ୍ଲକ୍ କାର୍ଯ୍ୟାଳୟ ଦୌଡୁଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ମାସିକ ଭତ୍ତା ପାଇବାରୁ ବଞ୍ଚତ୍ତ ରହିଛନ୍ତି। ସ୍ନାନଶୌଚ ପାଇଁ ଭଲ ପୋଖରୀଟିଏ ନାହିଁ। ଗାଁଠାରୁ ଅନତି ଦୂରରେ ରୁଗଡ଼ିବନ୍ଧ ଥିଲେ ମଧ୍ୟ ସେଠାକୁ ଯିବା ପାଇଁ ରାସ୍ତା ନାହିଁ ା ଏହିସବୁ ସମସ୍ୟା ବିଷୟରେ ଗ୍ରାମବାସୀ ଅନେକଥର ଲିଖିତ ଭାବରେ ସରପଞ୍ଚ, ବିଡିଓ ଓ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ପାଇଁ ଗ୍ରାମର ବୈଶାଖୁ ମିର୍ଦ୍ଧା, କୃଷ୍ଣ ବରିହା, ସାନ ବରିହା, କନ୍ଦର୍ପ ବରିହା, ବଡ଼ ବରିହା, ରାମ ବରିହା, ବୈଶାଖୁ ବରିହା, ବୀରସିଂ ବରିହା, ଲବ ବରିହା ପ୍ରମୁଖ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ କୋମନା ବିଡିଓ ଯାଇ ଏହାର ତଦନ୍ତ କରିବେ। ଯେଉଁସବୁ ସମସ୍ୟା ରହିଛି ବହୁଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ।