ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

୨ ଦିନ ପୂର୍ବେ ସେ ଏମ୍‌କେସିଜିରେ ଚିକିିତ୍ସିତ ହୋଇ ଜେଲ ଫେରିଥିବା ବେଳେ ତାଙ୍କ ପେଟ ଓ ଛାତିରେ ଯନ୍ତ୍ରଣା ହେବାରୁ ପୁଣି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ସୁରକ୍ଷା ବଳୟରେ ସେ ଏବେ ୩୨୦ ନଂ. ବେଡ଼ରେ ରହିଛନ୍ତି। ତାଙ୍କର ଗଲ୍‌ ବ୍ଲାଡ଼ର ସମସ୍ୟା ରହିଥିବା ବେଳେ ଅସ୍ତ୍ରୋପଚାର ହୋଇପାରେ ବୋଲି ଜଣାପଡିଛି।

ସେହିପରି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ବିଜେଡି ନେତା ମଦନ ଦଳାଇଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ସୋମବାର ତାଙ୍କୁ ହ୍ବିଲ ଚେୟାରରେ ଆଣି ଜିଲା ଦୌରାଜଜ୍‌ କୋର୍ଟରେ ହାଜର କରାଯାଇଥିଲା। ମଙ୍ଗଳବାର ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଏ ନେଇ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ଦୁର୍ଗାମାଧ ଶତପଥୀଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ବିକ୍ରମ ପଣ୍ଡା ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ବିଭାଗୀୟ ଡାକ୍ତର ତାଙ୍କର ଚିକିତ୍ସା ଚଳାଇଛନ୍ତି। ମଦନ ଦଳେଇ ଚିକିତ୍ସା ପାଇଁ ଏମକେସିଜି ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିବା ମେଡିକାଲ ଅଧୀକ୍ଷକ କହିଛନ୍ତି।

ପୀତବାସ ହତ୍ୟା ଘଟଣାରେ ପୋଲିସ ପୂର୍ବତନ ବିଧାୟକ ବିକ୍ରମ, ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ସମେତ ମୋଟ ୧୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଗତ ୯ ତାରିଖରେ ମାମଲାର କମିଟିମେଣ୍ଟ ହୋଇଥିଲା। ଏହାପରେ ଏହି ମାମଲାକୁ ଏଡିଜେ-୩ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଆସନ୍ତା ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ସେହିଦିନ କେତେଜଣଙ୍କ ଜାମିନ ଆବେଦନ ଶୁଣାଣି ସହିତ ଚାର୍ଜଫ୍ରେମ ହେବ ବୋଲି ପ୍ରତିପକ୍ଷ ଓକିଲ ଚକ୍ରପାଣି ନାହାକ କହିଛନ୍ତି।

Share