ମା’ଙ୍କର ଚାଲିଛି ଦଶମୀ ପୂଜା: ବର୍ଷାରେ ବି ଜମୁଛି ଭିଡ଼

ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ): ଆଜି ବିଜୟା ଦଶମୀ। ଏହି ଅବସରରେ ସାରା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏହି ପର୍ବ ବଡ଼ ଧୂମଧାମରେ ପାଳନ କରାଯାଉଛି। ମା’ଦୁର୍ଗାଙ୍କ ଧରାବରଣ ରେ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଯଦିଓ ଲଘୁଚାପ ଜନିତ ବର୍ଷା ଲାଗିରହିଛି ତଥାପି ଭକ୍ତଙ୍କ ମଧ୍ୟରେ ଦେଖାଯାଇଛି ଉତ୍ସାହ। ସବୁଠି ଚାଲିଛି ଗାଡ଼ିମୋଟର ପୂଜା। ଏହାସହ ବ୍ୟବସାୟୀ ଅନୁଷ୍ଠାନଗୁଡିକ ପୂଜାର୍ଚ୍ଚନା କରାଯାଉଛି।
ସେହିପରି ଦାରିଙ୍ଗବାଡି ଚାରିଛକ, ସିମନବାଡି ମା’ଦୁର୍ଗାଙ୍କ ଆସ୍ଥାନସ୍ଥଳୀ ସମେତ ବୁଡ଼ାଗୁଡାରେ ଅସ୍ଥାୟୀ ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା ଚାଲିଛି। କେଉଁଠି ସପ୍ତମୀରୁ ତ ଆଉ କେଉଁଠି ଅଷ୍ଟମୀରୁ ଏହି ପୂଜା ଚାଲିଥିବା ଜଣାପଡିଛି। ଆରତୀ ସହ ଘୃତ ଯଜ୍ଞ, ହୋମ କରାଯିବା ସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି।

ପ୍ରକାଶ ଯେ, ଗତ କିଛି ଦିନ ହେଲା ଅଞ୍ଚଳରେ ବର୍ଷା ଲାଗିରହିଥିବା ବେଳେ ଅଷ୍ଟମୀ ଓ ନବମୀ ତିଥିରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଥିଲା। କିନ୍ତୁ ଦଶମୀ ତିଥିରେ ଭୋର ସମୟରୁ ବର୍ଷା ତୁହାକୁ ତୁହା ହେଉଛି। ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ରହିଛି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।