ଚାଷ ସାରି ଘରକୁ ଫେରୁଥିଲେ ବିଜୟ, ନଦୀରେ ଭାସିଗଲେ: ଆଉ ତା’ପରେ…

ଭଞ୍ଜନଗର,୭।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗିର ବିଜୟ କୁମାର ସାହୁ (୫୦) ଗ୍ରାମ ନିକଟ ନଦୀରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାର ସକାଳେ ପୋଲିସ ବିଜୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ତାରସିଂ ଥାନାରେ ୨୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଘଟଣାରୁ ପ୍ରକାଶ ଯେ, ସୋମବାର ସନ୍ଧ୍ୟାରେ ବିଜୟ ଗ୍ରାମ ନଦୀ ପାର ହୋଇ ଜମିରୁ ଘରକୁ ଫେରୁଥିଲେ। ଏହି ସମୟରେ ସେ ଭାସିଯାଇଥିଲେ। ଏହାପରେ ପରିବାର ଲୋକ ଭଞ୍ଜନଗର ଦମକଳ ବାହୀନିକୁ ସୂଚନା ଦେଇଥିଲେ। ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚି ରାତିରେ ଖୋଜାଖୋଜି କରିଥିଲେ ମଧ୍ୟ ବିଜୟଙ୍କ କୌଣସି ପତ୍ତା ପାଇ ନ ଥିଲେ। ଆଜି ସକାଳେ ଦମକଳ ବାହିନୀ ପୁଣି ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରିବା ପରେ ମୃତଦେହ ଠାବ କରିଥିଲେ। ଅପରପକ୍ଷେ ରାଜସ୍ବ ନିରୀକ୍ଷକ ମଧ୍ୟ ସୂଚନା ପାଇ ତଦନ୍ତ କରି ଫେରି ଆସିଛନ୍ତି।
ସୂଚନାଯୋଗ୍ୟ ଯେ, ନଦୀରେ ବୁଡ଼ି ମୃତ୍ୟୁବରଣ କଲେ ସରକାର ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରନ୍ତି। ତେଣୁ ଆଗାମୀ ଦିନରେ ବିଜୟଙ୍କ ପରିବାର ମଧ୍ୟ ଉକ୍ତ ସହାୟତା ପାଇବେ।

 

Dharitri is Odisha’s No.1 most trusted Odia daily