ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା। ସେ ବିନା ଡାଏଲଗ୍‌ରେ ଏମିତି ଏକ ଫିଲ୍ମ ନିର୍ମାଣ କରିଛନ୍ତି, ଯାହା ଚର୍ଚ୍ଚାର ପରିସରକୁ ଆସିଛି। ଏହି ଫିଲ୍ମରେ ଗୋଟିଏ ହେଲେ ଡାଏଲଗ ନାହିଁ, ତଥାପି ଏହା ଦର୍ଶକଙ୍କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପରଦା ସାମ୍ନାରେ ବାନ୍ଧି ରଖିବାରେ ସଫଳ ହୋଇଛି। ଏହାର ନିଆରା କାହାଣୀ ଏବଂ ଶକ୍ତିଶାଳୀ ଅଭିନୟ ପାଇଁ ଏହା ଓସ୍କାର ପାଇବାକୁ ଯୋଗ୍ୟ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି।

ସାଉଥ ସୁପରଷ୍ଟାର୍‌ ବିଜୟ ସେତୁପତି, ଅଦିତି ରାଓ ହାଇଦରି ଏବଂ ଅରବିନ୍ଦ ସ୍ବାମୀଙ୍କ ଭଳି ଦକ୍ଷ କଳାକାରମାନେ କେବଳ ନିଜର ଆଖି ଏବଂ ଅଭିବ୍ୟକ୍ତି ମାଧ୍ୟମରେ ସମ୍ପୂର୍ଣ୍ଣ କାହାଣୀ ବୟାନ କରିଛନ୍ତି। ମୁମ୍ବାଇ ଭଳି ଏକ କୋଳାହଳପୂର୍ଣ୍ଣ ସହର ପୃଷ୍ଠଭୂମିରେ ଏହି ନିଶବ୍ଦ କାହାଣୀ ଗତିଶୀଳ ହୋଇଛି। ଏଠାରେ ‘ଗାନ୍ଧୀ’ ମାନେ କେବଳ ଆଦର୍ଶ ନୁହଁନ୍ତି, ବରଂ ନୋଟ ଉପରେ ଥିବା ଗାନ୍ଧୀ ବା ‘ଟଙ୍କା’ କିପରି ମଣିଷର ନୈତିକତା ଏବଂ ଜୀବନକୁ ପ୍ରଭାବିତ କରେ, ତାହା ଅତି ଚମତ୍କାର ଭାବେ ଦର୍ଶାଯାଇଛି। ଚଳଚ୍ଚିତ୍ରରେ ଶବ୍ଦ ନ ଥିବାରୁ ଏହାର ବ୍ୟାକଗ୍ରାଉଣ୍ଡ ସ୍କୋର୍‌ ସିନେମାର ପ୍ରାଣକେନ୍ଦ୍ର ସାଜିଛି, ଯାହା ପ୍ରତିଟି ମୁହୂର୍ତ୍ତକୁ ଜୀବନ୍ତ କରିଛି।

ଏହି ଫିଲ୍ମଟି ‘ପୁଷ୍ପକ ବିମାନ’ ଭଳି କ୍ଲାସିକ ନିଶବ୍ଦ ଫିଲ୍ମର ସ୍ମୃତିକୁ ତାଜା କରିଦେଉଛି। ଯେଉଁଠି ଜଣେ ବ୍ୟକ୍ତି ଯିଏ ସବୁକିଛି ହରାଇ ସର୍ବସ୍ବାନ୍ତ (ଅରବିନ୍ଦ ସ୍ବାମୀ) ଏବଂ ଜଣେ ଯିଏ ନିଜର ସର୍ବନିମ୍ନ ଆବଶ୍ୟକତା ପାଇଁ ସଂଘର୍ଷ କରୁଛି (ବିଜୟ ସେତୁପତି), ସେମାନଙ୍କ ମଧ୍ୟରେ ଟଙ୍କାର ଭୂମିକାକୁ ନେଇ ସିନେମାଟି ଗଭୀର ବାର୍ତ୍ତା ଦେଇଛି।
‘ଯେଉଁଠାରେ ଶବ୍ଦର ଅଭାବ ଥାଏ, ସେଠାରେ ଭାବନା ଅଧିକ ଶକ୍ତିଶାଳୀ ହୁଏ’ – ଏହାକୁ ପ୍ରମାଣିତ କରିଛି ‘ଗାନ୍ଧୀ ଟକ୍ସ’।

ଫିଲ୍ମର କାହାଣୀ ନୂଆ ନୁହେଁ, କିନ୍ତୁ ଏହାକୁ ଯେଉଁ ଭାବରେ ଉପସ୍ଥାପନ କରାଯାଇଛି ତାହା ଅନନ୍ୟ। ପୂର୍ବରୁ ମରାଠୀ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିବା କିଶୋର ପ୍ରତ୍ୟେକ ଦୃଶ୍ୟରେ ନିଜର କମାଣ୍ଡିଂ ବଜାୟ ରଖିଛନ୍ତି। ଲେଖାରେ ଜଣେ ବ୍ୟକ୍ତି ତାଙ୍କ ଚପଲ କାଢି ଘରୁ ବାହାରିଯିବାର ଦୃଶ୍ୟ ହେଉ, କିମ୍ବା ସେ ଫ୍ରିଜରେ ଖାଦ୍ୟକୁ ଲୋଭରେ ଦେଖିବାର ଦୃଶ୍ୟ ହେଉ, ସେ ଆର୍ଥିକ କଷ୍ଟ ଦେଇ ଗତି କରୁଥିବା ଜଣେ ବ୍ୟକ୍ତିଙ୍କ ମନୋଭାବକୁ କଏଦ କରିଛନ୍ତି।

ତାଙ୍କ ନିର୍ଦ୍ଦେଶନାରେ ସେ ଦର୍ଶକଙ୍କ ନିକଟରେ ଡାଏଲଗ୍‌ ବିନା ମଧ୍ୟ ଭାବପ୍ରବଣତା, ନାଟକ ଏବଂ କମେଡି ମାଧ୍ୟମରେ ସଫଳତାର ସହିତ ତାଙ୍କର ବାର୍ତ୍ତା ପହଞ୍ଚାଇଛନ୍ତି। ବିଜୟ ସେତୁପତି ପୂର୍ବରୁ ଅନେକ ଥର ତାଙ୍କ ଅଭିନୟ ଦ୍ୱାରା ପ୍ରଭାବ ପକାଇଛନ୍ତି ଏବଂ ଏହି ଫିଲ୍ମରେ ସେ ଦେଖାଇଛନ୍ତି ଯେ, ଡାଏଲଗ୍‌ ବିନା ମଧ୍ୟ ସେ ତାଙ୍କର ମୁଖମଣ୍ଡଳ ଭାବ ଏବଂ ଅଭିନୟ ସହିତ ଆଶ୍ଚର୍ଯ୍ୟ ସୃଷ୍ଟି କରିପାରିବେ।
ଏ.ଆର୍‌. ରେହମାନଙ୍କ ସଙ୍ଗୀତ ଏବଂ କରଣ ବି. ରାୱତଙ୍କ ସିନେମାଟୋଗ୍ରାଫି ପ୍ରତ୍ୟେକ ଭାବନା ଏବଂ ପ୍ରତ୍ୟେକ ଦୃଶ୍ୟକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବାରେ ଏକ ମହାନ କାମ କରିଛି। ଫିଲ୍ମରେ ଏ.ଆର୍‌. ରେହମାନଙ୍କ ଦ୍ୱାରା ରଚିତ କିଛି ଗୀତ ରହିଛି, ଯାହା ସବୁ ପରିସ୍ଥିତି ପାଇଁ ଉପଯୁକ୍ତ ମନେ ହୁଏ।

 

Dharitri – Odisha’s No.1 Odia Daily