ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ ଏବଂ କର୍ମକର୍ତ୍ତାଙ୍କୁ ଯାତ୍ରା କମିଟି ପକ୍ଷରୁ ଚିଠି ହୋଇଛି। ଏଥିସହ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଉପଜିଲାପାଳ ଉମା ଶଙ୍କର ବେହେରାଙ୍କ ପାଇଁ ଏହି ଯାତ୍ରା ନୂଆ ଅନୁଭୂତି ଆଣିବ। ଭଞ୍ଜନଗର ଠାକୁରାଣୀ ଯାତ୍ରା ପ୍ରତି ୩ ବର୍ଷକୁ ଥରେ ହେଉଛି। ୨୦୨୩ ମସିହା ମେ ମାସରେ ଗତ ଯାତ୍ରା ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏପ୍ରିଲ ମାସ ଶେଷ ସପ୍ତାହରୁ ମେ ମାସ ମଧ୍ୟରେ ଯାତ୍ରା ହେବା ଯୋଜନା ଅଛି। ଏଥିସହ ମାର୍ଚ୍ଚ ମାସରେ ଶୁଭଖୁଣ୍ଟି ସ୍ଥାପନ ହେବା ଯୋଜନା ରହିଛି। ଆଜି ଚୁଡାନ୍ତ ନିଷ୍ପତ୍ତି ହେବ ଯାତ୍ରା କେବେ ଏବଂ କେଉଁଭଳି ଭାବେ ହେବ । ଏଥିସହ ବୈଠକରେ ନୂଆଁ କର୍ମକର୍ତ୍ତା କିଛି ଯୋଡ଼ି ହେବାର ସମ୍ଭାବନା ରହିଛି।
ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଦୁଇଟି ଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଇଷ୍ଟଦେବୀ ବ୍ୟାଘ୍ର ଦେବୀଙ୍କୁ କୁଲାଡରୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯିବ। ଦେବୀଙ୍କୁ ଶଗଡ଼ରେ ବସାଇ ଦୀର୍ଘ ୮ କିମି ପର୍ଯ୍ୟନ୍ତ ଭଞ୍ଜନଗର ଅଣାଯିବ। ଏହି ସମୟରେ ରାସ୍ତାର ଉଭୟ ପାଶର୍ବରେ ହଜାର ହଜାର ଲୋକ ଦେବୀଙ୍କୁ ପୂଜାର୍ଚ୍ଚନା କରିବେ। ଏହାପରେ ଦେବୀ ଭଞ୍ଜନଗର ଶନି ମନ୍ଦିର ଠାରେ କିଛି ସମୟ ବିଶ୍ରାମ ନେବାପରେ ବିଳମ୍ବିତ ସଂନ୍ଧ୍ୟାରେ ଦେବୀ ମୁଖ୍ୟ ସଡକରେ ହୋଇଥିବା ଅସ୍ଥାୟୀ ମଣ୍ଡପକୁ ଅଣାଯିବ। ଏହି ସମୟରେ ପାରମ୍ପରିକ ନୃତ୍ୟ, ଆତସବାଜି ରେ ସହର ପ୍ରକମ୍ପିତ ହୋଇପଡିବ। ବ୍ୟାଘ୍ରଦେବୀ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେବାପରେ ଭଞ୍ଜନଗର ଦେବୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅଣାଯିବ। ଏହି ପ୍ରକ୍ରିୟା ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲିବ। ୩ ବର୍ଷ ପରେ ପୁଣି ଯାତ୍ରା ହେଉଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେଠୁ ଉତ୍ସାହ ପରିଲକ୍ଷିତ ହେଲାଣି।