ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡାବାଡ଼ି ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମୋନ୍ନୟନ ରାସ୍ତାଠାରୁ ଗ୍ରାମର ବଣଢେପ ଯାଏ ରାସ୍ତା ନିର୍ମାଣ ପାଇଁ ଏମଜିଏନଆରଇଜିଏ ଯୋଜନାରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ.୫୪୩ ତା – ୩-୬-୨୦୨୫ କ୍ରମିକ ସଂଖ୍ୟା ୧୩୦ ଅନୁଯାୟୀ, ୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କୌଣସି ୱାର୍କ କୋଡ ଜାରି କରାଯାଇନାହିଁ। ରାସ୍ତା ନିର୍ମାଣ ନକ୍ସା ଓ ପ୍ରକଳ୍ପ ବାବଦରେ ବ୍ୟୟ ବରାଦ ଅଦ୍ୟାବଧି ମଞ୍ଜୁର ହୋଇ ନ ଥିବାବେଳେ କିଛି ବ୍ୟକ୍ତି ଜେସିବି ମେଶିନ ସହାୟତାରେ ଘରୋଇ ଜମିରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବେଆଇନ ଭାବେ ୪୬ ହଜାର ଟଙ୍କା ଉଠାଣ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି।
ଏମଜିଏନଆରଇଜିଏ ଯୋଜନାରେ ଜବକାର୍ଡ ଧାରୀ ଶ୍ରମିକଙ୍କୁ ନିୟୋଜିତ କରାନଯାଇ କାହା ନିର୍ଦ୍ଦେଶରେ ଜେସିବି ମେସିନ ସହାୟତାରେ ରାସ୍ତା ନିର୍ମାଣ କରାଯାଉଛି। ସେନେଇ ଭିଜିଲାନ୍ସ ତଦନ୍ତ ଦାବିରେ ବହୁ ସଂଖ୍ୟକ ଗ୍ରାମବାସୀ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରାସ୍ତା ନିର୍ମାଣ ପ୍ରକଳ୍ପ ଅନୁମୋଦନ କରିବା ପୂର୍ବରୁ ଏମଜିଏନଆରଇଜିଏ ଯୋଜନାର ନୀତି ନିୟମକୁ ଉଲଙ୍ଘନ କରାଯାଇ ଏହି ରାସ୍ତା ନିର୍ମାଣ କରାଯାଉଥିବା ନେଇ ଗ୍ରାମର ସମ୍ବାରୁ ଦଳାଇ,ରାଜେଶ କୁମାର ଦଳାଇ, ସିମାଞ୍ଚଳ ଗୌଡ଼,ରାମକୃଷ୍ଣ ଦଳାଇ,ଲକ୍ଷ୍ମଣ ଦଳାଇ,କୃଷ୍ଣ ଗୌଡ଼,ଜିଲୁ ଗୌଡ଼ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏନେଇ ବିଡ଼ିଓଙ୍କୁ ପଚାରିବାରୁ ଖୁବଶୀଘ୍ର ଅଭିଯୋଗର ତଦନ୍ତ କରାଯାଇ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁଜ କୁମାରଙ୍କୁ ପଚାରିବାରୁ ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ତଥ୍ୟ ନ ଥିବା ଉଲ୍ଲେଖ କରିଛନ୍ତି।
ଏମଜିଏନଆରଇଜିଏ ଯୋଜନାର ବ୍ଲକ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ରାସ୍ତାନିର୍ମାଣ କାର୍ଯ୍ୟ ନିମନ୍ତେ ମଷ୍ଟରରୋଲ ପ୍ରସ୍ତୁତ କରାଯାଇ ଜବକାର୍ଡଧାରୀ ଶ୍ରମିକଙ୍କ ବ୍ୟାଙ୍କ ଜମାଖାତାକୁ ମଜୁରୀ ଅର୍ଥ ଦିଆଯାଇଥାଏ। କିନ୍ତୁ ଉକ୍ତ ରାସ୍ତା ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ସେ ସମ୍ପୂର୍ଣ ଅଜ୍ଞ। ସେ ଏନେଇ ଅନୁଧ୍ୟାନ କରିବେ ବୋଲି ଜଣାଇଛନ୍ତି।