ଦେବଗଡ଼,୧୦।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲାରେ ସ୍କୁଲ ୟୁନିଫର୍ମ ଯୋଗାଣ ନାଁରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଏପରିକି ସରକାରୀ ନିୟମକୁ କେହି ମାନୁନାହାନ୍ତି। ସରକାରୀ ନିୟମ ଅନୁସାରେ ସ୍କୁଲ ୟୁନିଫର୍ମ ଏସ୍ଏଚଜି ଗ୍ରୁପର ମହିଳାମାନେ ଯଦି ସପ୍ଲାଏ ପାଇଁ ଏଗ୍ରିମେଣ୍ଟ କରିଲେ ତାହାହେଲେ ନିଜେ ତିଆରି କରି ସ୍କୁଲ ୟୁନିଫର୍ମ ଦେବା କଥା। ସମ୍ପୃକ୍ତ ଏସ୍ଏଚଜିର ବ୍ୟାଙ୍କ ଆକାଉଣ୍ଟରେ ସ୍କୁଲ ପକ୍ଷରୁ ଚେକରେ ଟଙ୍କା ଦିଆଯାଏ। ଏପଟେ କିନ୍ତୁ ସେସବୁ କିଛି ହେଉନାହିଁ। କେତେଜଣ ସିଆରସିସି ଓ ଡିପିସି କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ମିଶି ଏସଏଚଜି ଗ୍ରୁପକୁ ଧରି ତାଙ୍କୁ କିଛି ଟଙ୍କା ଦେଇ ନିଜେ ବେପାରୀମାନଙ୍କ ସହ ବଡ ଡିଲ କରି ଏସ୍ଏଚଜି ଗ୍ରୁପ ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ନେଇ ବେପାରୀ ଓ ସିଆରସିସି ମାଲେମାଲ ହେଉଥିବା ଅଭିଯୋଗ ହେଉଛି। ସ୍କୁଲ ୟୁନିଫର୍ମ ନିଜେ ତିଆରି କରି ଏସଏଚ୍ଜି ଗ୍ରୁପମାନେ ସ୍କୁଲକୁ ଯୋଗାଣ କରିବା କଥା କିନ୍ତୁ ସେସବୁ ହେଉ ନାହିଁ। ଦୁର୍ନୀତିରେ ସେମାନେ ମଧ୍ୟ ଦାୟୀ। ସେଥିପାଇଁ ଉକ୍ତ ଘଟଣାକୁ ଭିଜିଲାନ୍ସ ତଦନ୍ତ କରିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସୂଚନା ଥାଉ କି ସରକାରୀ ନିୟମ ଅନୁଯାୟୀ ସ୍ବାଧୀନତା ଦିବସ ପୂର୍ବରୁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ଡ୍ରେସ ମିଳିଥାଏ। କିନ୍ତୁ ସ୍ବାଧୀନତା ଦିବସ ପାଳନ ସରିଗଲା ପରେ ମଧ୍ୟ କିଛି ହାତ ଗଣତି ସ୍କୁଲ ଛାଡ଼ି ଦେଲେ ଅନେକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ଡ୍ରେସ ମିଳିନାହିଁ। ଫଳରେ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କଣ ପାଇଁ ଏପରି ବ୍ୟତିକ୍ରମ ଦେଖା ଯାଇଛି ତାହା ତଦନ୍ତ କରାଗଲେ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। କୁଆଡେ ଏହି ସ୍କୁଲ ଡ୍ରେସ ପାଇଁ ବିଭାଗ ଓ ସ୍କୁଲକୁ ବହୁତ ପିସି ଟଙ୍କା ମିଳିଥାଏ। ଏପରିକି ବାହାରକୁ ବୁଲିଯିବା ଓ ଭୋଜି ପାଇଁ ମଧ୍ୟ ଟେଣ୍ଡର ନେଇଥିବା ବ୍ୟକ୍ତି ଦେଇଥାଏ ବୋଲି ଚର୍ଚ୍ଚା ହେଉଛି। ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ଅନେକ ତଥ୍ୟ ଧରାପଡ଼ିବ ବୋଲି କୁହାଯାଉଛି।