Categories: ଅନୁଗୋଳ

ଲାଞ୍ଚ ନେବାବେଳେ ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ବଇଣ୍ଡା,୩୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ସଞ୍ଜାମୁରା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ନିର୍ଭୟ ପ୍ରଧାନଙ୍କୁ ମଙ୍ଗଳବାର ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସେ ଜଣେ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା କୁହାଯାଇଛି। ଘଟଣାରୁ ପ୍ରକାଶ ଯେ, ନିମିତିର ଗ୍ରାମର ଜୟନ୍ତ ବିଶ୍ୱାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ବେଳେ ତାଙ୍କର ୧ ଲକ୍ଷ ୨୦ ହଜାର ଟଙ୍କାର ବିଲ୍‌ ପାସ୍‌ କରିବା ପାଇଁ ପିଇଓ ନିର୍ଭୟ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଜୟନ୍ତ କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ସୋମବାର ଅଭିଯୋଗ କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପିଇଓ ନିର୍ଭୟ ପଞ୍ଚାୟତ କାର୍ଯ୍ୟାଳୟରେ ଥିବାବେଳେ ଜୟନ୍ତ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ପିଇଓଙ୍କ ଠାରୁ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ। ଏ ସମ୍ପର୍କରେ ସଞ୍ଜାମୁରା ସରପଞ୍ଚ ମୃତ୍ୟୁଞ୍ଜୟ ପ୍ରଧାନ କହିଛନ୍ତି, ପିଇଓ ୧୦ ହଜାର ଟଙ୍କା ନେଉଥିବା ବେଳେ ଗିରଫ ହୋଇଛନ୍ତି। ତାଙ୍କୁ ଏଥିରେ ଫସାଇ ଦିଆଯାଇଥିବା ସରପଞ୍ଚ ସଫେଇ ଦେଇଛନ୍ତି।