Video: ‘ଆପଣ ଭଲ ଲାଗୁଛନ୍ତି, ସ୍ମୋକିଂ ଛାଡିଦିଅନ୍ତୁ..’ ତୁର୍କୀ ରାଷ୍ଟ୍ରପତିଙ୍କ ଉପଦେଶ ଶୁଣି ଜାଣନ୍ତୁ କ’ଣ କହିଲେ ମେଲୋନି

ଶର୍ମ-ଅଲ-ଶେଖ,୧୪।୧୦: ସୋମବାର ଇଜିପ୍ଟର ଶର୍ମ-ଅଲ-ଶେଖ ରିସର୍ଟରେ ଗାଜା ଯୁଦ୍ଧର ଅନ୍ତ ପାଇଁ ଏକ ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନ, ଜର୍ମାନ ଚାନ୍ସେଲର, କତାରର ଆମିର, ଇଜିପ୍ଟର ରାଷ୍ଟ୍ରପତି, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ବ୍ରିଟେନ, ଫ୍ରାନ୍ସ ଏବଂ ଜୋର୍ଡାନର ମୁଖ୍ୟମାନେ ଯୋଗ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗାଜାରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଏବଂ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ଏକ ପଥ ଖୋଜିବା।
ଏର୍ଦୋଗାନ ସମ୍ମିଳନୀ ସମୟରେ ସକ୍ରିୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଖାଯାଇଥିଲେ। ସେ ଅନେକ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ପରିବେଶକୁ ହାଲୁକା ରଖିଥିଲେ। ସେ ମଜାରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ କହିଥିଲେ ଯେ ତାଙ୍କୁ ଧୂମପାନ ଛାଡ଼ିବା ଉଚିତ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ନିକଟରେ ଥିଲେ, ଏବଂ ଏର୍ଦୋଗନଙ୍କ କଥା ଶୁଣଇ ସେ ହସିପକାଇଥିଲେ।
ମେଲୋନି ହସି ହସି ଉତ୍ତର ଦେଇଥିଲେ ଯେ ଯଦି ସେ ଧୂମପାନ ଛାଡ଼ି ଦିଅନ୍ତି, ତେବେ ସେ ହୁଏତ କମ ସାମାଜିକ ହୋଇଯିବେ। ଏହି ଅବସରରେ ଏର୍ଦୋଗାନ ମଧ୍ୟ କହିଥିଲେ ଯେ ତୁର୍କୀ ଏକ ‘ଧୂମପାନମୁକ୍ତ ଭବିଷ୍ୟତ’ ପାଇଁ କାମ କରୁଛି ଏବଂ ସେ ଯେଉଁଠାକୁ ଯାଆନ୍ତି ସେଠାରେ ଲୋକମାନଙ୍କୁ ଧୂମପାନ ଛାଡ଼ିବା ପାଇଁ ଉତ୍ସାହିତ କରନ୍ତି।
ଶିଖର ସମ୍ମିଳନୀରେ ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅନୁପସ୍ଥିତି। ତାଙ୍କ କାର୍ଯ୍ୟାଳୟ ପୂର୍ବରୁ ସ୍ପଷ୍ଟ କରିଦେଇଥିଲା ଯେ ସେ ଯୋଗ ଦେବେ ନାହିଁ। ସୂତ୍ର ଅନୁସାରେ, ଏର୍ଦୋଗାନ ଏବଂ ଅନ୍ୟ କେତେଜଣ ନେତା ତାଙ୍କର ସମ୍ଭାବ୍ୟ ଅଂଶଗ୍ରହଣ ଉପରେ ଆପତ୍ତି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily