ସିଡନୀ,୩।୪: ନ୍ୟୁ ସାଉଥ ୱେଲ୍ସରେ ଗୁରୁବାର ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ମଞ୍ଚରୁ ପଡ଼ି ଯାଇଛନ୍ତି। ମେ’ ମାସରେ ଅନୁଷ୍ଠିତ ଜାତୀୟ ନିର୍ବାଚନ ପାଇଁ ଏକ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପରେ ଫଟୋଗ୍ରାଫ ପାଇଁ ପୋଜ ଦେଉଥିବା ସମୟରେ ଏହି ଘଟଣା ଘଟିଥିଲା। ସୋସିଆଲ ମିଡିଆରେ େ:ୟାର ହୋଇଥିବା ଭିଡିଓଗୁଡ଼ିକରେ ଦେଖାଯାଇଛି, ଆଲବାନିଜ ଅନ୍ୟ ପାର୍ଶ୍ୱକୁ ଯାଉଥିବା ସମୟରେ ମଞ୍ଚରୁ ପଡ଼ିଯାଉଛନ୍ତି।
ପଡ଼ିଯିବା ପରେ ତାଙ୍କୁ ସୁରକ୍ଷାକର୍ମୀମାନେ ଉଠାଇଥିଲେ। କିଛି ମୁହୂର୍ତ୍ତ ମଧ୍ୟରେ, ସେ ଉଠିବା ପରେ ହସିଥିଲେ ଏବଂ ଦୁଇ ହାତରେ ଲୋକଙ୍କୁ ଇଙ୍ଗିତ କରି କହିଲେ, ସେ ଭଲ ଅଛନ୍ତି।
ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ବର୍ତ୍ତମାନ ମେ ୩ରେ ହେବାକୁ ଥିବା ଅଷ୍ଟ୍ରେଲିଆର ଜାତୀୟ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ତାଙ୍କ ଦଳ ଲେବର ପାର୍ଟି ପିଟର ଡଟନଙ୍କ ନେତୃତ୍ୱାଧୀନ ଲିବେରାଲ-ନ୍ୟାଶନାଲ ପାର୍ଟି ବିରୋଧରେ କଡ଼ା ଲଢ଼େଇ କରୁଛି।
ଏହା ପ୍ରଥମ ଥର ନୁହେଁ ଯେ କୌଣସି ଦେଶର ଶୀର୍ଷ ନେତା କୌଣସି କାର୍ଯ୍ୟକ୍ରମ ସମୟରେ ପଡ଼ିଯାଇଛନ୍ତି। ପୂର୍ବରୁ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଥର ପଡ଼ିଥିଲେ। ଥରେ ସେ ବିମାନରେ ଚଢ଼ିବା ସମୟରେ ଝୁଣ୍ଟି ପଡ଼ିଥିଲେ। ଏହା ବ୍ୟତୀତ, ବାୟୁସେନାର ଏକ କାର୍ଯ୍ୟକ୍ରମ ସମୟରେ ସେ ମଞ୍ଚରୁ ଓହ୍ଲାଉଥିବା ସମୟରେ ପଡ଼ିଯାଇଥିଲେ। ସେହି ସମୟ ମଧ୍ୟରେ ତାଙ୍କର କୌଣସି ଗୁରୁତର ଆଘାତ ହୋଇ ନ ଥିଲା।