ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି ଘଟଣା ପୁରୀର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ବାଇକ୍ରେ ବସି ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରିବା ସହ ପକେଟରେ ବନ୍ଧୁକ ରଖି ରିଲ୍ସ କରୁଛନ୍ତି। ବନ୍ଧୁକ ଧରି ଗୁଳି ଫୁଟାଇବା ଭିଡିଓ ‘ଶ୍ରୀଧର ଏକ୍ସ ଭିଲିଆନ’ ନାମକ ଆଇଡିରେ ଅପ୍ଲୋଡ୍ ହୋଇଛି। ତେବେ ସେ ବନ୍ଧୁକ କେଉଁଠାରୁ ଆଣିଲେ ତାହା ପ୍ରଶ୍ନ ପାଲଟିଛି। ତୁରନ୍ତ ତାଙ୍କୁ ଗିରଫ କରାଯିବା ସହ ବନ୍ଧୁକ ଜବତ ପାଇଁ ସାଧାରଣରେ ଦାବି ହୋଇଛି। ସମ୍ପୃକ୍ତ ଯୁବକ ପୁରୀ ଶୀତଳପିଣ୍ଡା ସାହିର କେ.କେ. ପଣ୍ଡା ବୋଲି ଜଣାପଡ଼ିଛି। ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖି ତଦନ୍ତ କରୁଛି। ଏ ନେଇ ଏସ୍ପି ପ୍ରତୀକ୍ ସିଂ କହିଛନ୍ତି, ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଆମ ନଜରକୁ ଆସିଛି। ଭିଡିଓରେ ସେ ବନ୍ଧୁକ ଟାଇପ୍ର ଜିନିଷ ଧରିଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ପୁରୀର ସମସ୍ତ ଥାନାକୁ ଆଲର୍ଟ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ସମ୍ପୃକ୍ତ ଯୁବକ ହାତରେ ଧରିଥିବା ଜିନିଷଟି ବନ୍ଧୁକ କି ଆଉ କ’ଣ ସେନେଇ ଭେରିଫାଏ କରାଯିବ। ଯଦି ବନ୍ଧୁକ ହୋଇଥିବ, ତେବେ ତାହା କେଉଁଠୁ ଆସିଛି ଓ ତାଙ୍କର ବ୍ୟାକ୍ଗ୍ରାଉଣ୍ଡ ଆଦି ବିଷୟରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।