ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ ସାହାସୀ ନିରସ୍ତ୍ର ଯୁବକଙ୍କ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ଅନେକ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି, ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ମାତ୍ର ୧୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ନିରସ୍ତ୍ର ଯୁବକ ଜଣକ ପାର୍କିଂ ହୋଇଥିବା କାର୍ ପଛରେ ଲୁଚି ରହି ବନ୍ଧୁକଧାରୀଙ୍କ ପଛରୁ ଦୌଡ଼ି ଯାଇଛନ୍ତି। ସେ ବନ୍ଧୁକଧାରୀକୁ ବେକରୁ କାବୁ କରି ତା’ଠାରୁ ରାଇଫଲ୍ ଛଡ଼ାଇ ନେଇଛନ୍ତି। ଯୁବକ ଜଣକ ସେହି ବନ୍ଧୁକଟିକୁ ପୁଣି ତା’ରି ଆଡକୁ ଲକ୍ଷ୍ୟ କରିଥିବାରୁ ଗୁଳିମାଡ଼ କରିବାକୁ ଆସିଥିବା ବ୍ୟକ୍ତି ଜଣକ ତଳେ ପଡ଼ିଯାଇଥିଲା।
ଏହି ଭୟଙ୍କର ଗୁଳିକାଣ୍ଡରେ ଜଣେ ଅଭିଯୁକ୍ତ ସମେତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୧ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ପୋଲିସ ଅଧିକାରୀ ଥିବା NSW ପୋଲିସ୍ ସୂଚନା ଦେଇଛି। ଦ୍ୱିତୀୟ ଅଭିଯୁକ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୋଲିସ୍ କହିଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଏହି ଘଟଣାକୁ “ମର୍ମନ୍ତୁଦ ଏବଂ ଚିନ୍ତାଜନକ” ବୋଲି କହିବା ସହ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସମସ୍ତ ପୋଲିସ ଓ ଜରୁରୀକାଳୀନ କର୍ମୀଙ୍କୁ ପ୍ରଶଂସା କରିଛନ୍ତି।