ଦାରିଙ୍ଗବାଡି,୨୨।୮(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ସେପ୍ଟେମ୍ବର ଠାରୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ବିଶେଷ କରି ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ତଥା ପିଇବା ପାଣି, ଶୌଚାଳୟ ଓ ବର୍ଷା, ଖରାରେ ଆଶ୍ରୟ ନେବା ପାଇଁ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଦାରିଙ୍ଗବାଡିର ଏକାଧିକ ପର୍ଯ୍ୟଟନ କ୍ଷେତ୍ରର ରୂପାନ୍ତର ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କା ର ବ୍ୟୟବରାଦ କରାଯିବା ସହ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ କଫି, ଡୁଲୁରୀ, ଜଳପ୍ରପାତ ଆଦି ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟ କାର୍ଯ୍ୟକୁ କରାଯାଉଛି। ସେହିପରି କଫି ଓ ଡୁଲୁରୀଠାରେ ସେଲ୍ଫି ପଏଣ୍ଟ କରାଯିବା ପରେ ଏବେ ହିଲଭିୟୁ ପାର୍କ, ନେଚର ପାର୍କ, ମିଡିୟୁାନ୍ଦା ଜଳପ୍ରପାତ, ଲଭର୍ସ ପଏଣ୍ଟ, ପାଙ୍ଗାଲି ଘାଟି ଆଦି ରେ ସେଲ୍ଫି ପଏଣ୍ଟ କରାଯିବା ପାଇଁ ଅଞ୍ଚଳବାସୀ ପକ୍ଷରୁ ପ୍ରଶାସନ ନିକଟରେ ଦାବି ଉଠିଛି। ସେପଟେ ଡୁଲୁରୀ ଓ କଫି ବଗିଚାରେ ହୋଇଥିବା ସେଲ୍ଫି ପଏଣ୍ଟର ଚାହିଦା ବୃଦ୍ଧି ପାଉଛି। ନିଜେ ଦାରିଙ୍ଗବାଡିର ଯୁବ ବିଡ଼ିଓ ପ୍ରୀତିରଞ୍ଜନ ରଥ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇବା ନିଶା ଦେଖିବାକୁ ମିଳିଛି। ଏହା ମୋବାଇଲକୁ ମୋବାଇଲ ଘୁରିବୁଲୁଛି ଓ ଏହା ଯୁବ ପିଢିଙ୍କୁ ଆକୃଷ୍ଟ କରୁଛି।