Video: ଦିଲ୍ଲୀ ଲାଲ୍‌କିଲ୍ଲା ନିକଟ ଭୟଙ୍କର ବିସ୍ଫୋରଣ ପରେ ବ୍ୟାପକ କ୍ଷୟକ୍ଷତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ମେଟ୍ରୋ ଷ୍ଟେସନ୍ ନିକଟରେ ଏକ କାର୍‌ରେ ଭୟଙ୍କର ବିସ୍ଫୋରଣ ହେବା ପରେ ବ୍ୟାପକ ନିଆଁ ଲାଗିଯାଇଛି ଏବଂ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ଏହି ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ରାସ୍ତାରେ ଥିବା ଏକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଏହାର ନିକଟରେ ଥିବା ଅନ୍ୟାନ୍ୟ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ କିଛି ମିଟର ଦୂରରେ ଥିବା ଗାଡ଼ିର କାଚ ମଧ୍ୟ ଭାଙ୍ଗି ଯାଇଛି।

ଭିଡିଓରେ ଜଳୁଥିବା ଗାଡ଼ିରୁ ଧୂଆଁ ବାହାରୁଥିବା ଦେଖାଯାଇଛି ଏବଂ ଅନ୍ୟ ଏକ ଭିଡିଓରେ ଗୋଟିଏ ଭ୍ୟାନ୍‌ର କବାଟ ଉଡିଯାଇଥିବା ଏବଂ ଗୋଟିଏ କାର୍ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଜଣେ ଆହତ ବ୍ୟକ୍ତି ତଳେ ପଡ଼ି ରହିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।

୨୦ଟି ଅଗ୍ନିଶମ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବିସ୍ଫୋରଣରେ ଆହତ ହୋଇଥିବା କେତେକ ଲୋକଙ୍କୁ ଚିକିତ୍ସା ପାଇଁ ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଲାଲକିଲ୍ଲା ପୁରୁଣା ଦିଲ୍ଲୀର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅବସ୍ଥିତ ଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା।

Share