ହାନୋଇ,୨୬।୫: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମାକ୍ରନଙ୍କ ପତ୍ନୀ ତାଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଉଛି। ଏହି ଭିଡିଓଟି ଫ୍ରାନ୍ସ ରାଷ୍ଟ୍ରପତି ଭବନ, ଦି ଏଲିସି ପ୍ୟାଲେସରେ ହଇଚଇ ସୃଷ୍ଟି କରିଛି। ଇମାନୁଏଲଙ୍କ ଏହି ଭିଡିଓ ଭିଏତନାମର ରାଜଧାନୀ ହାନୋଇର ବୋଲି ଜଣାପଡିଛି। ସେ ତାଙ୍କ ପତ୍ନୀ ବ୍ରିଜିଟ ମାକ୍ରନଙ୍କ ସହିତ ଏକ ରାଜ୍ୟ ଗସ୍ତରେ ଆସିଥିଲେ। ଏହି ଘଟଣା ପରେ, ଇମାନୁଏଲ ମାକ୍ରନ ମଧ୍ୟ ଭିଡିଓରେ ନିଜ ମୁହଁ ଲୁଚାଉଥିବାର ଦେଖାଯାଇଛି।
ଏହି ଭିଡିଓଟି ଗତ ମେ ୨୫ର ବୋଲି କୁହାଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ପ୍ରଥମ ମହିଳାଙ୍କ ସହିତ ହାନୋଇରେ ପହଞ୍ଚିଲେ। ବିମାନରୁ ଓହ୍ଲାଇବାବେଳେ ରାଷ୍ଟ୍ରପତି ହଠାତ୍ ପଛକୁ ହଟିଗଲେ। ସେହି ସମୟରେ ବ୍ରିଜିଟଙ୍କ ମୁହଁକୁ ଧକ୍କା ଦେଉଥିବାର ଦେଖାଯାଇଥିଲା। ମାକ୍ରନ ଜାଣିପାରିଲେ ଯେ, ଗଣମାଧ୍ୟମ ଏବଂ କ୍ୟାମେରାମ୍ୟାନମାନେ ବିମାନ ବାହାରେ ଠିଆ ହୋଇଛନ୍ତି, ସେ ଟିକେ ଲଜ୍ଜିତ ହୋଇଗଲେ। ତଥାପି, ସେ ତୁରନ୍ତ ପରିସ୍ଥିତିକୁ ସମ୍ଭାଳିଲେ ଏବଂ ହସି ହସି ଗଣମାଧ୍ୟମ ଆଡକୁ ହାତ ହଲାଇଥିଲେ ଏବଂ ତା’ପରେ ସେ ବିମାନ ଭିତରକୁ ଗଲେ।
ଏହା ପରେ ଉଭୟ ସ୍ବାମୀ-ସ୍ତ୍ରୀ ବିମାନରୁ ଓହ୍ଲାଇଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ଉଭୟ ପରସ୍ପରର ହାତ ଧରିଥିବାର ଦେଖାଯାଇ ନ ଥିଲା। ସେତେବେଳକୁ ଇମାନୁଏଲ ମଧ୍ୟ ଟିକେ ଅସହଜ ଅନୁଭବ କରୁଥିଲେ।
ଫ୍ରାନ୍ସ ରାଷ୍ଟ୍ରପତି ଭବନ, ଦି ଏଲିସି ହାଉସ ପ୍ରଥମେ ଭିଡିଓଟିକୁ ନକଲି ବୋଲି ଘୋଷଣା କରି କହିଥିଲା ଯେ, ଏହା AI ଦ୍ୱାରା ଜେନେରେଟେଡ, କିନ୍ତୁ ପରେ ଏହାର ସତ୍ୟତା ନିଶ୍ଚିତ ହୋଇଥିଲା। ଏହା ପରେ ରାଷ୍ଟ୍ରପତି ଭବନ ମଧ୍ୟ ସରକାରୀ ବିବୃତ୍ତିକୁ ପରିବର୍ତ୍ତନ କରିଥିଲା। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହାକୁ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ସରଳ ଝଗଡ଼ା ବୋଲି ବର୍ଣ୍ଣନା କରିଛନ୍ତି।
ଇମାନୁଏଲ ମାକ୍ରନ ଏବଂ ବ୍ରିଜିଟ ମାକ୍ରନଙ୍କ ପ୍ରେମ କାହାଣୀ ବହୁତ ପ୍ରସିଦ୍ଧ। ଦୁହିଁଙ୍କ ମଧ୍ୟରେ ୨୪ ବର୍ଷର ବ୍ୟବଧାନ ଅଛି। ଇମାନୁଏଲ ମାକ୍ରନଙ୍କୁ ୧୫ ବର୍ଷ ହୋଇଥିଲା, ସେ ୩୯ ବର୍ଷୀୟ ବ୍ରିଜିଟଙ୍କ ପ୍ରେମରେ ପଡ଼ିଥିଲେ। ବ୍ରିଜିଟ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ତିନୋଟି ସନ୍ତାନ ଥିଲା। ବ୍ରିଜିଟ ମାକ୍ରନ ଏକ ସାକ୍ଷାତକାରରେ କହିଥିଲେ, ସେ ଏକ କ୍ୟାଥୋଲିକ ସ୍କୁଲରେ ଜଣେ ନାଟକ ଶିକ୍ଷୟିତ୍ରୀ ଥିଲେ ଏବଂ ଇମାନୁଏଲ ତାଙ୍କର ଛାତ୍ର ଥିଲେ। ସେଠାରୁ ହଁି ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟଙ୍କ ପ୍ରେମ ସମ୍ପର୍କ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ବ୍ରିଜିଟ ତାଙ୍କ ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ସେମାନେ ଦୁହେଁ ୨୦୦୬ରେ ବିବାହ କରିଥିଲେ। ସେତେବେଳେ ଇମାନୁଏଲଙ୍କୁ ୨୯ ବର୍ଷ ବୟସ ହୋଇଥିଲା।