ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ ପଦବୀ ଖାଲି ରହିଥିବା କାରଣରୁ ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲୀପ ଶନିବାର ଗୁଡ଼ାରି ଉପାଧ୍ୟକ୍ଷ ବିଶ୍ୱନାଥ ଶବରଙ୍କୁ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏନେଇ ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଚିଠି ଜାରି ହୋଇଛି । ଏଥି ସହିତ ଗୁଡ଼ାରି ଉପାଧ୍ୟକ୍ଷ ଶବର, ଗୁଡ଼ାରି ବିଡିଓ, ରାୟଗଡ଼ା ଜିଲାପାଳ ଓ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।
ପ୍ରକାଶ ଥାଉକି, ଗୁଡାରି ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବରଙ୍କ ବିରୋଧରେ ୨୦୨୫ ଜୁଲାଇ ୨୪ ତାରିଖରେ ୯ ପଞ୍ଚାୟତର ୧୬ ଜଣ ସରପଂଚ ଓ ସମିତି ସଭ୍ୟ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। କିନ୍ତୁ ଅନାସ୍ଥା ବିରୋଧରେ ଅଧକ୍ଷା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ଏବଂ ନ୍ୟାୟାଳୟ ମଧ୍ୟ ଭୋଟ ହେବ କିନ୍ତୁ ଗଣତି ସ୍ଥଗିତ ରଖିବା ନିମନ୍ତେ ରାୟ ଦେଇଥିଲେ। ତେବେ ଜାନୁଆରୀ ୧୩ ତାରିଖରେ ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଅନାସ୍ଥା ବିରୋଧରେ ହୋଇଥିବା ଭୋଟ ଗଣତି କରିବା ପାଇଁ ଗୁଡାରି ବ୍ଲକ କାର୍ଯ୍ୟାଳୟରେ ଜାନୁଆରି ୨୨ରେ ବ୍ୟାଲେଟ ଗଣତି ହୋଇଥିଲା । ଅଧ୍ୟକ୍ଷା ଲକ୍ଷ୍ମୀ ଶବରଙ୍କ ବିରୋଧରେ ସମସ୍ତ ୧୬ ଗୋଟି ଭୋଟ ପଡିଥିଲା। ଗୁଣପୁୁର ଉପଜିଲାପାଳ ଗଣତିର ଫଳାଫଳ ଘୋଷଣା କରିଥିଲେ।