କାର୍ବନ ଡେଟିଂ ଉପରେ ରାୟ ୧୧କୁ ଘୁଞ୍ଚିଲା

ବାରାଣସୀ,୮ା୧୦: ଉତ୍ତରପ୍ରଦେଶର ଜ୍ଞାନବାପି ମସ୍‌ଜିଦ ପରିସରରୁ ମିଳିଥିବା ତଥାକଥିତ ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଉପରେ ବାରାଣସୀ କୋର୍ଟ ରାୟ ସ୍ଥଗିତ ରଖିଛନ୍ତି। ଆସନ୍ତା ୧୧ରେ ଅଦାଲତ ରାୟ ଘୋଷଣା କରିବେ। ତଳକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଆରମ୍ଭରେ ଜ୍ଞାନବାପି ପରିସରର ଭିଡିଓ ସର୍ଭେ କରାଯାଇଥିଲା। ସେହି ସମୟରେ ମସ୍‌ଜିଦ ପରିସରରୁ ଏକ ଶିବଲିଙ୍ଗ ମିଳିଥିଲା। କାର୍ବନ ଡେଟିଂ ସମେତ ବୈଜ୍ଞାନିକ ପଦ୍ଧତିରେ ଏହାର ତଦନ୍ତ କରାଯାଇ କେବେ ଏହି ଶିବଲିଙ୍ଗ ସ୍ଥାପନ କରାଯାଇଥିଲା ତାହା ନିର୍ଣ୍ଣୟ କରିବାକୁ ହିନ୍ଦୁ ମହିଳାମାନେ ଆବେଦନ କରିଥିଲେ। ଅଦାଲତ ଶୁକ୍ରବାର ମହିଳା ଆବେଦନକାରୀଙ୍କ ଓକିଲଙ୍କଠାରୁ ଅଧିକ ସ୍ପଷ୍ଟୀକରଣ ମାଗିଛନ୍ତି। ତଥାକଥିତ ଶିବଲିଙ୍ଗ ମାମଲାର ଅଂଶବିଶେଷ ହେବ କି ନାହିଁ ଏବଂ ପ୍ରକୃତରେ ଅଦାଲତ କୌଣସି ବୈଜ୍ଞାନିକ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇପାରିବେ କି ନାହିଁ ତାହା ଉପରେ ସ୍ପଷ୍ଟୀକରଣ ଲୋଡ଼ାଯାଇଛି। ଏନେଇ ଅଦାଲତଙ୍କୁ ସ୍ପଷ୍ଟ କରିବାକୁ ଉଦ୍ୟମ କରିବେ ବୋଲି ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି।