ଭଞ୍ଜନଗର,୧୫।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ ସୋମନାଥପଲ୍ଲୀ ନିକଟରେ ଥିବା ବନଦୂର୍ଗା ମନ୍ଦିରରୁ ଗତ ମାର୍ଚ୍ଚ ମାସ ୧୨ ତାରିଖ ରାତିରେ ଚୋରୀ ଉଦ୍ୟମ ହୋଇଥିଲା। ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ଭଞ୍ଜନଗର ଏସଡିଜେଏମ ସୌମ୍ୟ ରଞ୍ଜନ ପୃଷ୍ଟି ମାମଲାର ବିଚାରଣ କରି ଅଭିଯୁକ୍ତ ମିଥୁନ ମହାପାତ୍ରଙ୍କୁ ୧୮ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨ ହଜାର ଟଙ୍କା ଜରିମାନା ପକାଇଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ। ୮ ମାସ ମଧ୍ୟରେ ମାମଲାର ତ୍ୱରିତ ବିଚାରଣ କରାଯାଇ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇଛି ।
ଘଟଣାରୁ ପ୍ରକାଶ ଯେ, ପୋଲସରା ଥାନା ଅଞ୍ଚଳର ମିଥୁନ ମହାପାତ୍ର ଘଟଣା ରାତିରେ ବନ ଦୁର୍ଗା ମନ୍ଦିରରୁ ଚୋରୀ କରୁଥିଲେ। ଏହି ସମୟରେ ନିକଟରେ ଏକ କୁକୁଡ଼ା ଫାର୍ମ ରେ ସୋଇଥିବା ରୁଦ୍ର ମଣି ନାୟକ କବାଟ ଭାଙ୍ଗିବା ଶବ୍ଦ ଶୁଣି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଲୋକେ ରୁଣ୍ଡ ହୋଇ ଅଭିଯୁକ୍ତଙ୍କୁ ମନ୍ଦିର ଭିତରୁ କାବୁ କରି ପୋଲିସକୁ ଜିମା ଦେଇଥିଲେ। ଏହି ସମୟରେ ପୋଲିସ ଅଭିଯୁକ୍ତଙ୍କଠାରୁ ଲୁଟ ଅଳଙ୍କାର ଉଦ୍ଧାର କରିଥିଲେ। ଆଜି ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ଅଶୋକ କୁମାର ଜେନା ଏବଂ ମୁଦଲାଙ୍କ ପକ୍ଷରୁ ତ୍ରିନାଥ ମଲ୍ଲିକ ମକଦ୍ଦମା ପରିଚାଳନା କରୁଥିଲେ।