ଓ୍ବାଶିଂଟନ,୨୧ା୭: ଭେନସ ଓ୍ବିଲିୟମ ଟେନିସ ଜଗତକୁ ପ୍ରତ୍ୟାବର୍ତ୍ତନ କରିବେ। ଏକ ବର୍ଷରୁ ଅଧିକ ସମୟ ପରେ ଡିସି ଓପନରେ ଭାଗ ନେବାକୁ ଯାଉଛନ୍ତି। ଏହି ଅବସରରେ ସେ କହିଛନ୍ତି, ତାଙ୍କ ସାନ ଭଉଣୀ ଯଦି ଅବସରରୁ ପ୍ରତ୍ୟାବର୍ତ୍ତନ କରନ୍ତି ତେବେ ସେ ଖୁସି ହେବେ।
୪୩ ବର୍ଷୀୟା ସେରେନା ୨୦୨୨ ୟୁଏସ୍ ଓପନ ପରଠାରୁ ଆଉ ଖେଳି ନାହାନ୍ତି। ଏକଦା ସେ ଟେନିସରେ ଆଧିପତ୍ୟ ବିସ୍ତାର କରି ୨୩ ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିବା ବେଳେ ଭେନସଙ୍କ ସହିତ ୧୪ ଡବଲ୍ସ ଜିତିଥିଲେ।
ଭେନସ କହିଛନ୍ତି, ନିକଟରେ ଏକ ପ୍ରାକ୍ଟିସ ସେସନରେ ସେରେନା ତାଙ୍କ ସହିତ ୧୫ରୁ ୨୦ ମିନିଟ ଖେଳିଥିଲେ। ଦୁଇ ଭଉଣୀ ଏକଦା ଶ୍ରେଷ୍ଠ ଡବଲ୍ସ ଖେଳାଳି ଥିଲେ। ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ହାସଲ କରିପାରିଥିଲେ।
ଭେନସ ଗତ ମାସରେ ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ତାଙ୍କ କ୍ୟାରିୟରରେ ୭ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ସେ ତନ୍ମଧ୍ୟରୁ ୨ଟି ୟୁଏସ୍ ଓପନ ଏବଂ ୫ଟି ଓ୍ବିମ୍ବେଲଡନରେ ଜିତିଛନ୍ତି।
ସେ ତାଙ୍କର ଶେଷ ଟୁର୍ନାମେଣ୍ଟ ୨୦୨୪ ମାର୍ଚ୍ଚରେ ମାୟାମି ଓପନ ଖେଳିଥିଲେ। ଏଥିରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ବହୁ ଦିନ ହେଲା ଅଫିସିଆଲ ଡବ୍ଲ୍ୟୁଟିଏ ଓ୍ବେବ୍ ସାଇଟ୍ର ଅଣ ସକ୍ରିୟ ଖେଳାଳି ତାଲିକାରେ ତାଙ୍କ ନାମ ଦେଖିବାକୁ ମିଳୁଛି।