ନୂଆଦିଲ୍ଲୀ,୧୬ା୧: ବହୁ ପ୍ରତିକ୍ଷାର ଅନ୍ତ ଘଟି ଶେଷରେ ଅନ୍ଵେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟି ନିଜର ନୋବେଲ ପଦକ ପ୍ରଦାନ କରିଛନ୍ତି। ଭେନେଜୁଏଲାର ସ୍ୱାଧୀନତା ପ୍ରତି ଟ୍ରମ୍ପଙ୍କ ଅଦ୍ୱିତୀୟ ପ୍ରତିବଦ୍ଧତାର ସମ୍ମାନ ସ୍ୱରୂପ ସେ ଏହି ପଦକ ଉପହାର ଦେଇଥିବା ପ୍ରକାଶ କରିଛନ୍ତି। ଏହାକୁ ସେ ଦୁଇ ଦେଶର ବନ୍ଧୁତ୍ୱ ଓ ମୁକ୍ତି ସଂଗ୍ରାମର ପ୍ରତୀକ ବୋଲି ଅଭିହିତ କରିଛନ୍ତି।
ଟ୍ରମ୍ପ ଏହି ସାକ୍ଷାତକାରକୁ “ସକାରାତ୍ମକ” ବୋଲି କହିବା ସହ ମାଚାଡୋଙ୍କୁ ଜଣେ “ସାହସୀ ମହିଳା” ଭାବେ ବର୍ଣ୍ଣନା କରିଛନ୍ତି। ତେବେ ସେ ଏହି ପଦକ ଗ୍ରହଣ କରିଛନ୍ତି କି ନାହିଁ, ସେ ନେଇ ହ୍ୱାଇଟ ହାଉସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ନିକଟରେ ଆମେରିକା ସେନା ଦ୍ୱାରା ଭେନେଜୁଏଲାର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଗିରଫ ହେବା ପରେ ସେଠାରେ ଅସ୍ଥାୟୀ ଭାବେ ଡେଲସି ରୋଡ୍ରିଗ୍ରେଜ୍ ଶାସନ ଭାର ସମ୍ଭାଳୁଛନ୍ତି। ଟ୍ରମ୍ପ ବର୍ତ୍ତମାନ ରୋଡ୍ରିଗ୍ରେଜ୍ଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ମାଦୁରୋଙ୍କ ବିରୋଧରେ ଦୀର୍ଘ ଦିନରୁ ସଂଗ୍ରାମ କରି ଆସୁଥିବା ମାଚାଡୋ ଆଶା ରଖିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ତାଙ୍କୁ ସମର୍ଥନ କରିବେ।
ତେବେ ନୋବେଲ କମିଟିର ନିୟମ ଅନୁଯାୟୀ, ଏହି ପୁରସ୍କାର ଅନ୍ୟ କାହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ, ତେଣୁ ମାଚାଡୋଙ୍କର ଏହି ପଦକ୍ଷେପ ଏକ ସାଙ୍କେତିକ ସମ୍ମାନ ଭାବେ ବିଚାର କରାଯାଉଛି।