ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର। ଏହାସହ ଡ୍ରାଇଭିଂ ଲାଇସେନସ ସମ୍ପର୍କିତ ଆବେଦନ ଆଗକୁ ବିଢବ ନାହିଁ। କୌଣସି ଗାଡ଼ି ଉପରେ ବର୍ଷକୁ ୫ କିମ୍ବା ତା’ଠାରୁ ଅଧିକ ଥର ଚାଲାଣ କଟିଥିଲେ, ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ସାମନା କରିବାକୁ ପଡ଼ିବ।
ଆହୁରି ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶରେ ଚାଲାଣ ବକେୟା ଥିବା ଗାଡି ଜବତ କରାଯାଇପାରିବ। ଚାଲାଣ କଟିବାର ୧୫ ଦିନ ମଧ୍ୟରେ ପ୍ରତ୍ୟେକ୍ଷ ଭାବେ ଖିଲାପିଙ୍କ ପାଖକୁ ପଠାଯିବ। ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ତିନି ଦିନରେ ଏହା ପଠାଯିବ। ଗାଡି ଯେଉଁମାନଙ୍କ ନାମରେ ପଞ୍ଜୀକୃତ କରାଯାଇଛି ସେହି ମାଲିକଙ୍କ ପାଖରେ ଏସଏମଏସ ଓ ଇମେଲ ମାଧ୍ୟମରେ ମଧ୍ୟ ଚାଲାଣ ପହଞ୍ଚିପାରିବ।
ସୂଚନା ପାଇବାର ୪୫ ଦିନ ମଧ୍ୟରେ ଚାଲାଣ ପ୍ରଦାନ କିମ୍ବା ଅଭିଯୋଗ କରିପାରିବେ ମାଲିକ । ସମୟ ସୀମା ଶେଷ ପରେ କୌଣସି ପଦକ୍ଷେପ ନନେଲେ ମୋଟର ଯାନ ନିୟମ ଉଲ୍ଲଂଘନ ବୋଲି ଧରିନିଆଯିବ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂଶୋଧିତ ନିୟମକୁ ନୂଆବର୍ଷରୁ ଲାଗୁ କରାଯାଇଛି।
Dharitri – The Largest & Most Trusted Odia Daily