ଶାକାହାର ସିଦ୍ଧାନ୍ତ

ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ କିମ୍ୱା ରାଜସିକ ଖାଦ୍ୟ ପରିବର୍ତ୍ତେ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରି ସନ୍ନ୍ୟାସ ଜୀବନଯାପନ କରୁଥିଲେ। ସାତ୍ତ୍ୱିକ ଖାଦ୍ୟ କହିଲେ ସାଧାରଣତଃ ଉଦ୍ଭିଦଜାତ ଖାଦ୍ୟକୁ ବୁଝାଏ। ଏହା ବ୍ୟତୀତ ଦୁଗ୍ଧଜାତ ଖାଦ୍ୟ ଯଥା ଘିଅ, ଦହି ଓ ଛେନା ଖାଇବା ପାଇଁ ଅନୁମତି ଥିଲା। ତାମସିକ ଖାଦ୍ୟ ଭାବରେ ମଦ୍ୟପାନ ଏବଂ ମାଦକ ଦ୍ରବ୍ୟକୁ ଗଣାଯାଉଥିଲା। କିନ୍ତୁ ଅବସର ବିନୋଦନ ଏବଂ ମୁଖ୍ୟତଃ ତାନ୍ତ୍ରିକ କାର୍ଯ୍ୟ ତଥା ଗ୍ରାମୀଣ ରୀତିନୀତିଗୁଡ଼ିକରେ ତାମସିକ ଖାଦ୍ୟ ଲୋକପ୍ରିୟ ଥିଲା। ବୈଷ୍ଣବଧର୍ମ ଉତ୍‌ଥାନ ପରେ ଶାକାହାର ଖାଦ୍ୟକୁ ବ୍ରାହ୍ମଣମାନେ ପ୍ରସାଦ ଭାବେ ଘୋଷଣା କଲେ ଏବଂ ଏହା ଶୁଦ୍ଧ ଓ ଅଶୁଦ୍ଧ ମଧ୍ୟରେ ଏକ ପ୍ରଭେଦକୁ ସାମ୍ନାକୁ ଆଣିଥିଲା। ଭାରତରେ ଯେଉଁ ସଂସ୍ଥାଗୁଡ଼ିକ ହିନ୍ଦୁଙ୍କୁ ଭୋଟ ବ୍ୟାଙ୍କ ଭାବରେ ଏକଜୁଟ କରିବା ସକାଶେ ଚାହାନ୍ତି, ସେମାନେ କେବଳ ଶାକାହାର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେଇଥାନ୍ତି। ହେଲେ ସେମାନେ ୮୦ ପ୍ରତିଶତ ହିନ୍ଦୁଙ୍କୁ ପୃଥକ ଭାବେ ଦେଖନ୍ତି ଏବଂ ଆଶ୍ଚର୍ଯ୍ୟର ବିଷୟ, ଖାଦ୍ୟ ମାଧ୍ୟମରେ ସେମାନେ କାହିଁକି ସବୁଗୋଷ୍ଠୀକୁ ଏକାଠି କରିପାରୁ ନାହାନ୍ତି। ଉଲ୍ଲେଖନୀୟ ଯେ, ଉତ୍ତର ଭାରତରେ ମୁସଲମାନ ଏବଂ ନିମ୍ନ ଜାତିର ଲୋକମାନେ ଥିଲେ ମାଂସ ପ୍ରିୟ। ମୋଗଲ ଶାସନ ପତନବେଳେ ରାଜପୁତ ରାଜାମାନେ ସ୍ୱାଧୀନତା ହାସଲ କରିବାକୁ ଲାଗିଲେ। ସେହି ସମୟରେ ସେମାନଙ୍କୁ ହିନ୍ଦୁ ଭାବେ ଘୋଷଣା କରାଗଲା। ପୂର୍ୱ ଶାସକଙ୍କଠାରୁ ନିଜକୁ ଭିନ୍ନ ଦର୍ଶାଇବା ପାଇଁ ସେମାନେ ଶାକାହାରବାଦକୁ ପ୍ରୋତ୍ସାହିତ କରୁଥିଲେ। ଏହା ହିନ୍ଦୁଙ୍କର ଏକ ସଙ୍କେତ ବା ପରିଚୟ ପାଲଟିଗଲା। ନୀଚ ଜାତିର କୃଷକମାନେ ନିଜକୁ ଉଚ୍ଚ ଜାତି ବୋଲି ଦର୍ଶାଇବା ପାଇଁ ଖାଦ୍ୟପେୟ ଶୈଳୀ ବଦଳାଇଲେ, ଯାହାକି ସଂସ୍କୃତୀକରଣ ଭାବେ ଜଣାଶୁଣା। ତେଣୁ ଖାଦ୍ୟରୁ ଧର୍ମ ଓ ଜାତି ଜଣାପଡ଼ୁଥିଲା ଏବଂ ଏହା ଥିଲା ପୁରାତନ ବ୍ରାହ୍ମଣୀୟ ଧାରାକୁ ଶାକାହାରବାଦର ପ୍ରତ୍ୟାବର୍ତ୍ତନ।
ଶାକାହାର ଖାଦ୍ୟ ହିଂସାତ୍ମକ ନୁହେଁ ଓ ଏହା ପରିବେଶ ଅନୁକୂଳ ବୋଲି ଅନେକେ ଯୁକ୍ତି କରନ୍ତି। ଏପରି କି ଭାରତରେ ଶାକାହାର ଭୋଜନାଳୟଗୁଡ଼ିକ ନିଜକୁ ‘ଶୁଦ୍ଧ’ ଶାକାହାର ବୋଲି ଦର୍ଶାନ୍ତି, କିନ୍ତୁ ସେଗୁଡ଼ିକ ପ୍ରାଣୀ ପ୍ରୋଟିନ (କ୍ଷୀର, ଛେନା, ଦହି, ଲହୁଣି ଓ ଘିଅ) ଖାଇବାକୁ ଦେଇଥାନ୍ତି। ଯେତେବେଳେ ଏ ବିଷୟରେ କେହି ଜାଣନ୍ତି ସେତେବେଳେ ଅହିଂସା ଉପାୟରେ ଦୁଗ୍ଧ ଉତ୍ପାଦନ ହୁଏ ବୋଲି କୁହାଯାଇଥାଏ। ସେହି ଯୁକ୍ତିକୁ ଦେଖିଲେ ଏହି ଭୋଜନାଳୟଗୁଡ଼ିକରେ ଅଣ୍ଡା ପରଷାଯିବା ଦରକାର। କିନ୍ତୁ ଭାରତରେ ବୈଷ୍ଣବ ସଂଗଠନଗୁଡ଼ିକ ମଧ୍ୟାହ୍ନ ଭୋଜନରେ ଗରିବ ଓ ଅଭାବୀ ଲୋକଙ୍କୁ ଅଣ୍ଡା ଦେବାକୁ ମନା କରନ୍ତି।
କୌଣସି ଉଦ୍ଭିଦରୁ ଭିଟାମିନ୍‌ ବି୧୨ ମିଳି ନ ଥାଏ, ବରଂ ଏହା କେବଳ ପ୍ରାଣୀଙ୍କଠାରୁ ମିଳେ। ହେଲେ ଏଭଳି ଯୁକ୍ତିକୁ କେହି ସ୍ୱୀକାର କରନ୍ତି ନାହିଁ। ‘ଶୁଦ୍ଧ’ ଶାକାହାର ଖାଦ୍ୟରେ ପିଆଜ,ରସୁଣ, ଛତୁ ଏବଂ କେତେକ ନିର୍ଦ୍ଦିଷ୍ଟ ଡାଲି ଓ ବାଇଗଣର ସ୍ଥାନ ନାହିଁ। ପ୍ରତ୍ୟେକ ଖାଦ୍ୟ ପଛରେ ଥିବା ଯୁକ୍ତି ସ୍ପଷ୍ଟ ନୁହେଁ, ଏହା କେବଳ ବିଶ୍ୱାସ ଓ ପରମ୍ପରା ଆଧାରିତ। ଯୁକ୍ତି କରାଯାଏ ଏହା ପଛରେ ବୈଜ୍ଞାନିକ ସିଦ୍ଧାନ୍ତ ଅଛି, କିନ୍ତୁ ତାହା ଏକ ଭୁଲ୍‌ ଧାରଣା। ଭାରତରେ ଖାଦ୍ୟ ଜାତିର ଏକ ସଙ୍କେତ ବୋଲି କେହି ସ୍ୱୀକାର କରିବାକୁ ଚାହାନ୍ତିନି । ଶୁଦ୍ଧତା ଉଚ୍ଚ-ନୀଚ ବର୍ଗୀକରଣକୁ ପ୍ରତିପାଦିତ କରେ। ମନୁସ୍ମୃତି ଓ ଧର୍ମଶାସ୍ତ୍ର ଶାକାହାର ସିଦ୍ଧାନ୍ତକୁ ପ୍ରୋତ୍ସାହିତ କରିପାରନ୍ତି, ହେଲେ ସେସବୁ ସ୍ୱୀକାର କରନ୍ତି ଯେ, ମାଂସାହାର ଓ ସୁରାପାନ ସାଧାରଣ ଜୀବନର ଏକ ଅଂଶ। ଏସବୁ ଶାସ୍ତ୍ର ଅଣ୍ଡା ଉପରେ କୌଣସି ମତ ଦେଇନାହାନ୍ତି। କିନ୍ତୁ ବ୍ରିଟିଶ ଶାସନ ସମୟରେ ଇସଲାମର ଶରିୟା ଆଇନରେ ଲୋକଙ୍କୁ ଈଶ୍ୱର କିମ୍ୱା ମହମ୍ମଦଙ୍କ ଅନୁମତି ନେବାକୁ ପଡ଼ୁଥିଲା। ଏଭଳି ବିଶ୍ୱାସ ହିନ୍ଦୁ ଧର୍ମରେ ନାହିଁ, ତଥାପି ହିନ୍ଦୁ ଧର୍ମର ଗୁରୁମାନଙ୍କର ଯୁକ୍ତି ଯେ, ଶୁଦ୍ଧ ଶରୀର ଏବଂ ଆତ୍ମାନୁଭବ ସକାଶେ ଏକ ନିର୍ଦ୍ଦିଷ୍ଟ ପ୍ରକାର ଖାଦ୍ୟ ଦରାକର ଏବଂ ଏହା ଖାଇବାକୁ ବେଦ ପରାମର୍ଶ ଦେଇଛି। ଏପ୍ରକାର ସିଦ୍ଧାନ୍ତ ଜୈନଧର୍ମରେ ଅଛି ଯାହା ଜୀବନର କର୍ମଫଳ ଭୋଗକୁ ହିଂସାତ୍ମକ କାର୍ଯ୍ୟର ପ୍ରତିଫଳନ ବୋଲି ବିଚାର କରେ। ହଂସାତ୍ମକ କାର୍ଯ୍ୟ ଆତ୍ମାକୁ ନିମ୍ନମୁଖୀ କରାଇ ମୋକ୍ଷ ପଥରେ ବାଧା ଉପୁଜାଏ।
ହିନ୍ଦୁ ପରିଚୟ ବହନ କରୁଥିବା ରାଜନେତାମାନେ ହିନ୍ଦୁଙ୍କୁ ଚିହ୍ନଟ କରିବା ପାଇଁ ସମାନ ପ୍ରକାର ଖାଦ୍ୟ ନିୟମ ବା ସଂକେତ ଚାହଁୁଛନ୍ତି। ଶାକାହାର ଖାଦ୍ୟକୁ ସାତ୍ତ୍ୱିକ କୁହାଗଲେ ମଧ୍ୟ ଏହା ବିଶେଷକରି ବ୍ରାହ୍ମଣ ଏବଂ ବୈଶ୍ୟଙ୍କ ଖାଦ୍ୟ। ବୈଶ୍ୟ ଥିଲେ ବଣିକ ଗୋଷ୍ଠୀର। ପୂର୍ୱେ ଏହି ବଣିକ ବର୍ଗ ଥିଲେ ବୌଦ୍ଧ ଓ ଜୈନଧର୍ମାବଲମ୍ୱୀ । ତେଣୁ ସେମାନେ ସେମାନଙ୍କ ପୁରାତନ ଖାଦ୍ୟାଭ୍ୟାସକୁ ପାଳନ କରିଆସିଛନ୍ତି। ବୈଦିିକ ଯୁଗରେ ପଶୁବଳି ଥିଲା ରୀତିନୀତିର ଏକ ଅଂଶ। ପବିତ୍ର ରୀତିନୀତିରେ ମାଂସ ନୈବେଦ୍ୟ ନ ହେଲେ ଅନେକ ବ୍ରାହ୍ମଣ ତାହାକୁ ଛୁଉଁ ନ ଥିଲେ। ଏବେ ସୁଦ୍ଧା ଅନେକ ଉତ୍ତର ଭାରତୀୟ ବ୍ରାହ୍ମଣ ମାଂସ ଖାଆନ୍ତି ନାହିଁ। ତେବେ ପାହାଡ଼ିଆ ଏବଂ ଉପକୂଳ ଅଞ୍ଚଳରେ ବାସ କରୁଥିବା ଅନେକ ବ୍ରାହ୍ମଣ ଉପ-ଗୋଷ୍ଠୀ ମାଛ ଖାଆନ୍ତି। ଦେଖିବାକୁ ଗଲେ ମାଂସ, ମାଛ ଏବଂ ମଦ୍ୟପାନ ଭୈରବ ଏବଂ ଭବାନୀଙ୍କ ପରି ଦେବୀଙ୍କର ପ୍ରିୟ ହୋଇରହିଛି। ବ୍ରାହ୍ମଣ ଏବଂ ବୈଶ୍ୟଙ୍କ ଖାଦ୍ୟକୁ ଶାକାହାର ଏବଂ ସାତ୍ତ୍ୱିକ କୁହାଯାଉଥିବା ବେଳେ ରାଜକୀୟ ଖାଦ୍ୟ ହେଉଛି ରାଜସିକ। ଅଧିକାଂଶ ରାଜ ପରିବାର ଦୁର୍ଗାଙ୍କୁ ପୂଜା କରୁଥିଲେ ଏବଂ ନବରାତ୍ରରେ ମା’ଙ୍କ ନିକଟରେ ମଇଁଷି ଓ ଛେଳି ବଳି ଦଆଯାଉଥିଲା। ବର୍ତ୍ତମାନ ମନ୍ଦିରଗୁଡ଼ିକ ବ୍ରାହ୍ମଣ ଏବଂ ବୈଶ୍ୟଙ୍କ ନିୟନ୍ତ୍ରଣରେ ଥିବାରୁ ସେଠାରେ ମା’ଙ୍କୁ ମଇଁଷି ଓ ଛେଳି ବଦଳରେ ପାଣିକଖାରୁ ବଳି ଦିଆଯାଉଛି।
ଯଦି ବ୍ରାହ୍ମଣ ଓ ବୈଶ୍ୟଙ୍କ ଖାଦ୍ୟ ସାତ୍ତ୍ୱିକ ଓ ଶାକାହାର ଏବଂ ରାଜାଙ୍କର ଖାଦ୍ୟ ରାଜସିକ, ତେବେ ତାମସିକ ଖାଦ୍ୟ କାହାର। ଯଦି ତାମସିକ ଖାଦ୍ୟ ରାଜପୁତ ଖାଦ୍ୟ ନୁହେଁ, ଯଦି ବ୍ରାହ୍ମଣ ଖାଦ୍ୟ ନୁହେଁ, ଯଦି ବୈଶ୍ୟ ଖାଦ୍ୟ ନୁହେଁ, ତେବେ ଏହା କ’ଣ ଶୂଦ୍ର ଖାଦ୍ୟ? ହେଲେ ଏହି ପ୍ରଶ୍ନର ଉତ୍ତର କାହାଠାରୁ ମିଳେ ନାହିଁ । ଏହା ମଧ୍ୟ କେହି ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ଯେ ପୂର୍ୱରୁ ‘ଅସ୍ପୃଶ୍ୟ’ ଲୋକଙ୍କୁ ବଳକା କିମ୍ୱା ବାସି ଖାଦ୍ୟ ଦିଆଯାଇଥିଲା ଏବଂ ଏହାର ବାସ୍ତବତା ସମ୍ପର୍କରେ ଦଳିତ ଲେଖକମାନେ ଗୁରୁତ୍ୱର ସହ ପ୍ରକାଶ କରୁଛନ୍ତି। ଏହିପରି ସିମ୍ପଲ ବା ସାଦା ଖାଦ୍ୟ ଭାରତର ସନ୍ନ୍ୟାସ ପରମ୍ପରାରୁ ସୃଷ୍ଟି ହୋଇଥିଲା ବେଳେ, ଶୁଦ୍ଧ ଖାଦ୍ୟ ଜାତି ବ୍ୟବସ୍ଥାରୁ ଉତ୍ପନ୍ନ ହୋଇଥିଲା। ତେବେ ହିନ୍ଦୁ ପରିଚୟର ସଙ୍କେତ ଭାବେ ଶୁଦ୍ଧ ଖାଦ୍ୟକୁ ବ୍ୟବହାର କଲେ ହିନ୍ଦୁମାନଙ୍କୁ ଏକତ୍ର କରିବା କଷ୍ଟକର ହୋଇଯିବ।
-devduttofficial@gmail.com