ଦାରିଙ୍ଗବାଡି, ୨୪/୧୦(ଅରୁଣ ସାହୁ ): ପନିପରିବା ଦର ଆକାଶଛୁଆଁ। ବଜାରରେ ସମସ୍ତ ଦର ବୃଦ୍ଧି ଗ୍ରାହକଙ୍କୁ ଯେତିକି କଷ୍ଟ ଦେଇଛି ତା’ଠାରୁ ଅଧିକା କଷ୍ଟ ଦେଉଛି ପନିପରିବା ଦର। ଖାଉଟିଙ୍କୁ ଚଳିବା ମୁସ୍କିଲ ହୋଇପଡିଛି। ସ୍ବଳ୍ପ ରୋଜଗାର କରୁଥିବା ଗରିବ ସୀମାରେଖା ତଳେ ରହିଥିବା ଲୋକଙ୍କ ପାଇଁ ଏବେ ଚଳିବା ବହୁତ କଷ୍ଟ ହୋଇଛି। ଖାଦ୍ୟ ସାମଗ୍ରୀ ଡାଲି, ଚାଉଳ, ଅଟା, ତେଲ, ମସଲା ଆଦି ଘୁ ଘୁ ହୋଇ ଦର ବଢ଼ୁଥିବା ବେଳେ ଏବେ ଭାତ ସାଙ୍ଗରେ ତରକାରୀଟିଏ କରି ଖାଇବା ମଧ୍ୟ ଖାଉଟି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।
ପନିପରିବା ମଧ୍ୟରେ ଲୋକଙ୍କ ଅତି ପ୍ରିୟ ପରିବା ମଧ୍ୟରେ ବିନ୍ର ଦର ସବୁଠାରୁ ଅଧିକା ରହିଛି ଯେଉଁଠି ଏହି ସମୟରେ ବିନ କିଲୋ ପିଛା ୨୦ ରୁ ୨୫ ରହିବା କଥା ସେଠି ଏବେ ୧ ଶହ ୨୦ ଟଙ୍କା କିଲୋ ପିଛା ଦର ରହିଛି। ଅନ୍ୟ ପନିପରିବା ଦର କିଲୋ ପିଛା ୫୦ରୁ ୧ଶହ ପର୍ଯ୍ୟନ୍ତ ରହିଛି। କିଲୋ ସ୍ଥାନରେ ଅଢେଇଶ କିମ୍ବା ୩ ଶହ ଗ୍ରାମ ନେଇ ପରିବାର ପ୍ରତିପୋଷଣ ହେଉଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଲଗାଣ ବର୍ଷା ସହ ବାରମ୍ବାର ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷ ଜମିରେ ଝର ଫୁଟିବା ଓ ଜଳମୟ ଯୋଗୁ ଗଛ ମୂଳସଢ଼ି ଯାଉଛି। ଏହାସହ ରୋଗପୋକ ଲାଗିଥିବା ଯୋଗୁ ପନିପରିବା ନଷ୍ଟ ହୋଇଛି। ଏହି କାରଣରୁ ପରିବା ସଂଗ୍ରହ ମଧ୍ୟ କମିଛି। ଫଳରେ ପରିବା ଦର ଆକାଶଛୁଆଁ ହୋଇଛି।