ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୨୯।୧ (ଅଭୟ ଦାଶ): ଓଡ଼ିଶାରେ ବେଦାନ୍ତ ଆଲୁମିନିୟମ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ର ଉଦ୍‌ଘାଟନୀ ଅବସରରେ ଘୋଷଣା କରିଛି। ଏପରିକ ସମଗ୍ର ରାଜ୍ୟରେ ବିଶ୍ୱସ୍ତରୀୟ ଆଲୁମିନିୟମ ଉତ୍ପାଦନ କାରଖାନା ପ୍ରତିଷ୍ଠା ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେଇ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ ଏହି ପରିବର୍ତ୍ତନକାରୀ ପ୍ରତିବଦ୍ଧତାର ଲକ୍ଷ୍ୟ ରହିଛି। ସେହିଭଳି ଉତ୍କର୍ଷ ଓଡ଼ିଶାର ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବେଦାନ୍ତ ଲିମିଟେଡ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଥିଲା। ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ନିବେଶ ସମ୍ମିଳନୀ ଉତ୍କର୍ଷ ଓଡ଼ିଶାର ପ୍ରଥମ ଦିନରେ ଓଡ଼ିଶା ସରକାରଙ୍କ ସହ ବେଦାନ୍ତ ଆଲୁମିନିୟମ ୧ ଲକ୍ଷ କୋଟି ଟଙ୍କାର ଏକ ଏମ୍‌ଓୟୁ ସ୍ବାକ୍ଷର କରିଛି। ସେହିପରି ପ୍ରାକୃତିକ ସମ୍ପଦ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ତଥା ଦୀର୍ଘ ୨ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ପ୍ରଗତିରେ ଅଂଶୀଦାର ଥିବା ବେଦାନ୍ତ ଏହି ବୁଝାମଣା ମଧ୍ୟରେ ବାର୍ଷିକ ୩ ନିୟୁତ ଟନ୍‌ ଆଲୁମିନିୟମ ପ୍ଲାଣ୍ଟ ଏବଂ ଆଲୁମିନିୟମ ପାର୍କର ବିକାଶ ଅନ୍ତର୍ଭୁକ୍ତ ରହିଛି,ଯାହା ଆଲୁମିନିୟମ ଉତ୍ପାଦର ଡାଉନଷ୍ଟ୍ରିମ୍‌ ଉତ୍ପାଦନକାରୀଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭାହେବାକୁ ଯାଉଛି। ଏହି ପଦକ୍ଷେପ କେବଳ ବିଶ୍ୱ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୁଦୃଢ଼ କରିବ ନାହିଁ, ବରଂ ୨ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିକରିବ ଏବଂ ଅଟୋମୋବାଇଲ, ଶକ୍ତି, ନିର୍ମାଣ ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ମଧ୍ୟ ଏମ୍‌ଏସ୍‌ଏମ୍‌ଇ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି, ବେଦାନ୍ତର ଅଭିବୃଦ୍ଧି କାହାଣୀରେ ଓଡ଼ିଶା ସର୍ବଦା ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛି ଏବଂ ଏହାର ସମ୍ବଳ ଭାରତର ଉନ୍ନତିରେ ଏକ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଛି। ଏହି ଏମ୍‌ଓୟୁ ରାଜ୍ୟରେ ବ୍ୟାପକ ଶିଳ୍ପାୟନ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହାର ପ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଛି। ଓଡ଼ିଶା ସରକାରଙ୍କ ସହ ଆମର ଦୀର୍ଘ ଦଶନ୍ଧି ଧରି ସହଯୋଗକୁ ସୁଦୃଢ଼ କରିବା ସହିତ ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ଥାୟୀ ଅଭିବୃଦ୍ଧି, ଦକ୍ଷତା ବିକାଶ ଏବଂ ଉନ୍ନତ ମାନର ଜୀବନ ଧାରଣକୁ ସୁନିଶ୍ଚିତ କରିବା ପାଇଁ ଆମେ ଗର୍ବିତ ଅଛୁ। ଅପରପକ୍ଷରେ ୨୦୩୦ ସୁଦ୍ଧା ଆଲୁମିନିୟମର ବିଶ୍ୱ ଚାହିଦା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଥିବା ବେଳେ ଏହି ବୁଝାମଣାପତ୍ର ଏକ ଶିଳ୍ପ ଓ ଅର୍ଥନୈତିକ ମହାଶକ୍ତି ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ରୂପାନ୍ତର ଏବଂ ଭାରତର ଶିଳ୍ପ ବିକାଶରେ ଏକ ଉତ୍‌ପ୍ରେରକ ଭାବେ ବେଦାନ୍ତର ଭୂମିକାକୁ ଦୋହରାଇଛି।