କୃଷକଙ୍କ ଜୀବନକୁ ପରିବର୍ତ୍ତନ କରାଇଛି ବେଦାନ୍ତ

ଭୁବନେଶ୍ୱର,୨୦।୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି କମ୍ପାନୀର ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ା ଜିଲାର କୃଷକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ସହ ଅଭିବୃଦ୍ଧି ମଧ୍ୟ ଘଟିଛି। ବିଶେଷକରି କମ୍ପାନୀର ଉକ୍ତ ପ୍ରକଳ୍ପ ଜରିଆରେ ସ୍ଥାନୀୟ ଚାଷୀ ବେଶ୍‌ ଉପକୃତ ମଧ୍ୟ ହୋଇଛନ୍ତି। ସେହିଭଳି କମ୍ପାନୀର ଏଭଳି ପଦକ୍ଷେପ ଯୋଗୁ କୃଷିକ୍ଷେତ୍ରରେ ସ୍ଥାୟୀ ଜୀବିକା ପ୍ରକଳ୍ପ ଜାରି ରହିଛି, ଯାହାର ଲକ୍ଷ୍ୟ କ୍ଷୁଦ୍ର ଓ ମାର୍ଜିନାଲ ଚାଷୀମାନଙ୍କ ଜୀବନରେ ଉନ୍ନତି ଆଣିବା। ଏହାଦ୍ୱାରା ସେମାନେ ଜମିରୁ ଅଧିକ ଅମଳ କରିପାରିବେ। ସେହିପରି କୃଷି ନିବେଶରୁ ମଧ୍ୟ ଉପଯୁକ୍ତ ଫେରସ୍ତ ପାଇପାରିବେ। ବର୍ତ୍ତମାନ ଏହି ପ୍ରକଳ୍ପର ୨ୟ ପର୍ଯ୍ୟାୟ ଝାରସୁଗୁଡ଼ାର ୫ଟି ଗ୍ରାମରେ ଜାରି ରହିଛି। ସିରିଆପାଲି, କେଲଦାମାଳ, ଗୁଡ଼ିଗାଁ, କଟିକେଲା ଓ କୁରେବଗାର ୩୦୦ରୁ ଅଧିକ କୃଷକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇଛି।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ସ୍ଥାୟୀ ଜୀବିକା ସୃଷ୍ଟି କରିବା ଆମ ଗୋଷ୍ଠୀ ବିକାଶ ପ୍ରୟାସର ଏକ ପ୍ରମୁଖ ଦିଗ। ସେହି ଉଦ୍ଦେଶ୍ୟରେ ଆମେ ଝାରସୁଗୁଡ଼ାରେ ଦକ୍ଷତା ବିକାଶ, ମହିଳାଙ୍କ ସଶକ୍ତୀକରଣ, କୃଷି, ଉଦ୍ୟୋଗ ଇତ୍ୟାଦି ଉପରେ ଅନେକ କାର୍ଯ୍ୟକ୍ରମ ପରିଚାଳନା କରିଥାଉ। ଏହି ଅଞ୍ଚଳରେ କୃଷିକୁ ମୂଳ ଉତ୍ସ କରୁଥିବା ଚାଷୀଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆମେ କୃଷକଙ୍କ ଉନ୍ନତି ପାଇଁ ଉନ୍ନତ ଚାଷ ପ୍ରଣାଳୀ, ନୂଆ କୌଶଳ ଉପରେ ଗୁରୁତ୍ୱ ଦେଉଛୁ। ଜମି ଓ ଜଳ ପରିଚାଳନା କୌଶଳ ଇତ୍ୟାଦି ଆମ ଜୀବିକା ସମୃଦ୍ଧି ପ୍ରକଳ୍ପ ଅନ୍ତର୍ଗତ। ଏହାଦ୍ୱାରା ଝାରସୁଗୁଡ଼ାର କୃଷକମାନଙ୍କ ପାଇଁ ଉନ୍ନତ ଅମଳ ଓ ଘରୋଇ ଆୟ ବୃଦ୍ଧି ହୋଇପାରିବ।