ନନ୍ଦପୁର,୧୪୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧୀନ ୨୩ ପଞ୍ଚାୟତର ଭିବି ରାମଜି(ଏମ୍ଜିଏନ୍ଆର୍ଇଜିଏସ୍)ରେ କରାଯାଇଥିବା କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ସମଗ୍ର ଶିକ୍ଷା ଯୋଜନା ପାଣ୍ଠି ବିନିଯୋଗର ସାମାଜିକ ସମୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲା ସାମାଜିକ ସମୀକ୍ଷକ ଅନିଲ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ବ୍ଲକରେ ନିଯୁକ୍ତ ସାମାଜିକ ସମୀକ୍ଷକ ରଘୁରାମ ବାଙ୍କା ଓ ବିଆରପିମାନଙ୍କ ଦ୍ୱାରା ୨୩ ପଞ୍ଚାୟତର ୨୧୦ ଭିବି ରାମଜି କାର୍ଯ୍ୟ ଓ ୩୨ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ପାଣ୍ଠି ବିନିଯୋଗର ସମୀକ୍ଷା ରିପୋର୍ଟ ପ୍ରଦର୍ଶନ କରାଯାଇଛି। ରିପୋର୍ଟରେ ୧୧ ଭିବି ରାମଜି କାର୍ଯ୍ୟରେ ମୋଟ ୨୭୨୧୪୫ ଟଙ୍କାର ଜିଏସ୍ଟି ଦେୟ ପ୍ରଦାନ କରାଯାଇ ନ ଥିବା ଜଣାପଡ଼ିଛି। ବ୍ଲକ୍ରେ କାର୍ଯ୍ୟରତ ସହଯୋଗୀ ବିଭାଗ ଆଇଟିଡିଏ ଦ୍ୱାରା ୨ ପ୍ରକଳ୍ପ କାର୍ଯ୍ୟ କରାନଯାଇ ୩୫୫୬୯୨ ଟଙ୍କା ପ୍ରଦାନ କରାଯାଇଛି। ନନ୍ଦପୁର ଜଳଛାୟା ପ୍ରକଳ୍ପ ଦ୍ୱାରା ବାଡେଲ ପଞ୍ଚାୟତ ଚାରାରୋପଣ କରା ନ ଯାଇ ୨୭୧୩୬୨ ଟଙ୍କା ଉଠାଯାଇଥିବା ଜଣାପଡ଼ିଛି। ସେହିପରି ୩୨ ସ୍କୁଲର ସମୀକ୍ଷା ବେଳେ କ୍ୱାଲିଟି ଏଜୁକେଶନ ଦିଆଯାଉ ନ ଥିବା, ଖେଳପଡିଆ, ଶୌଚାଳୟ, ପାନୀୟଜଳ, ଶ୍ରେଣୀଗୃହ ବ୍ୟବସ୍ଥା ନ ଥିବା ପରିଲକ୍ଷିତ ହୋଇଛି। ବାଡେଲ ପଞ୍ଚାୟତସ୍ଥିତ ଖମରା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସମୀକ୍ଷା ଦିନ ୧୫ ଛାତ୍ରୀଛାତ୍ର ଓ ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ପିୟୁପିଏସ ସ୍କୁଲରେ ୧୦ ଛାତ୍ରୀଛାତ୍ର ଅନୁପସ୍ଥିତ ଥିଲେ। ଆଟେଣ୍ଡାଣ୍ଟ ରେଜିଷ୍ଟରରେ କର୍ତ୍ତୃପକ୍ଷ ଉପସ୍ଥିତ ଦର୍ଶାଇଥିବା ଜିଲା ସାମାଜିକ ସମୀକ୍ଷକ ମହାରଣା ସୂଚନା ଦେଇଛନ୍ତି। ପ୍ରକଳ୍ପଗୁଡ଼ିକର ତଦାରଖ କରୁଥିବା ଯନ୍ତ୍ରୀମାନଙ୍କୁ ଜିଏସ୍ଟି ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ପ୍ରକଳ୍ପ କାମ ନ କରି ଟଙ୍କା ଉଠାଇଥିବା ୨ ବିଭାଗ ସମ୍ପର୍କରେ ଜିଲାପାଳ ଓ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇ ନିର୍ଦ୍ଦେଶ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଜିଲା ଶିକ୍ଷାଧିକାରୀ ଓ ଡିପିଇପି ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଭିତ୍ତିଭୂମି ଓ ଛାତ୍ରୀଛାତ୍ରଙ୍କ ଅନୁପସ୍ଥିତି ନେଇ ଅବଗତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଶିବିରରେ ୨୩ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ, ପିଇଓ, ଡିଈଓ, ଯନ୍ତ୍ରୀ, ୩୨ ବିଦ୍ୟାଳୟ କର୍ତ୍ତୃପକ୍ଷ, ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନଗେନ ତ୍ରିପାଠୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏପିଓ ସୌମେନ୍ଦ୍ର ନାୟକ, ବିଆରପି ଓ ଗ୍ରାମସାଥୀମାନେ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସମୀକ୍ଷକ ରଘୁରାମ ବାଙ୍କା ଶିବିର ପରିଚାଳନା କରିଥିଲେ।