ରାଇକିଆ,୧୫।୧(ପ୍ରଦୀପ ବେହେରା): ଏମଜିଏନଆର୍ଇଜିଏର ଜଟିଳତା ଏବଂ ସ୍ବଚ୍ଛତାର ଅଭାବ ଯୋଗୁ ଏହାର ପ୍ରକୃତ ଲକ୍ଷ୍ୟ ସାଧନ ହେବାରେ ବିଫଳ ହେଉଥିବାରୁ ଏହାକୁ ଏକ ନୂତନ ପରିଭାଷା ପ୍ରଦାନ କରି ଭିବି-ଜି ରାମ ଜି ଆଇନ-୨୦୨୫ କାର୍ଯ୍ୟକାରୀ କରିଛନ୍ତି । ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀରେ ଭାଜପା ଜିଲା ସଭାପତି ପଣ୍ଡିତ ବିଶ୍ ମାଝୀ ବିସ୍ତୃତ ସୂଚନା ଦେଇଛନ୍ତି ।
୧୨୫ ଦିନର ଗ୍ୟାରେଣ୍ଟି ନିଯୁକ୍ତି, ବେରୋଜଗାରୀ ଭତ୍ତା ପାଇଁ ବ୍ୟବସ୍ଥା, ଗ୍ରାମସଭା ଦ୍ବାରା ବିକଶିତ ଗ୍ରାମ ପାଞ୍ଚାୟତ ଯୋଜନା, ଠିକ ସମୟରେ ମଜୁରୀ ପ୍ରଦାନ ଏବଂ ବିଳମ୍ବ ପାଇଁ କ୍ଷତିପୂରଣ ସୁନିଶ୍ଚିତ, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସଶକ୍ତିକରଣ, ନୂତନ ଗ୍ରାମୀଣ ବିକାଶ ଢାଞ୍ଚା, ମୁଖ୍ୟ କୃଷି ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା, ଅର୍ଥ ବାଟମାରଣା ରୋକିବା ସହ ସ୍ବଚ୍ଛତା ଆଣିବା, ସାର୍ବଜନୀନ କାମର ବିଷୟ ଗତ ପ୍ରାଥମିକତା ନିର୍ଦ୍ଧାରଣକୁ ବିଶେଷତା ଦିଆଯାଇଥିବା ପ୍ରକାଶ କରିଥିଲେ।
ଏହାକୁ ଜିଲାସ୍ତରରେ ସଚେତନତା କରାଯିବା ସହ ପରବର୍ତ୍ତୀ ସମୟରେ ମଣ୍ଡଳ ଏବଂ ପଞ୍ଚାୟତ ସ୍ତରରେ ଏବଂ ତୃଣମୂଳ ସ୍ତରରେ କୃଷକ ଓ ଶ୍ରମିକମାନଙ୍କୁ ମଧ୍ୟ ଏହାର ନୂତନ ରୂପାନ୍ତରଣ ସମ୍ପର୍କରେ ଜନ ସଚେତନ କରାଯିବ ବୋଲି ସୁଚନା ଦେଇଥିଲେ । ସମ୍ମିଳନୀରେ ଜିଲା ସଭାପତିଙ୍କ ସମେତ ଜିଲା ସମ୍ପାଦକ ସୁକାନ୍ତ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଲେଙ୍କା, ବ୍ଳକ ଅଧ୍ୟକ୍ଷା ରୀନା ପ୍ରଧାନ, ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ, ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ମଣ୍ଡଳ ସମ୍ପାଦକ ସନକ ଦିଗାଲ ଉପସ୍ଥିତ ଥିଲେ।