କର୍ଲାମୁଣ୍ଡା,୧୨।୧(ପ୍ରଦୀପ କୁମାର ସାହୁ):ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି। ଯୋଜନାଗୁଡିକ ଠିକ ସମୟରେ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାରୁ ସାଧାରଣ ଲୋକଙ୍କ ପାଇଁ ବସୁଧା ଭଳି ଯୋଜନା ଅପହଞ୍ଚ ହୋଇରହୁଛି। ଏଭଳି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି। ବ୍ଲକର ପୁଟୀଗା ଉତ୍ତେଇ ନଦୀରୁ ସ. ମାଲପଡା ଗ୍ରାମପଞ୍ଚାୟତର ପୁଟୀଗା ଓ ରାଜପୁର ଗ୍ରାମପଞ୍ଚାୟତର ବାଞ୍ଜିପଦର ପାଇଁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୬ କୋଟି ୭୫ ଲକ୍ଷ ଟଙ୍କା ଅଟକଳରେ ଟେଣ୍ଡର ଜରିଆରେ ଜନୈକ ଠିକାଦାରଙ୍କ ଦ୍ୱାରା ତିନିବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଭୟ ଗାଁରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟ ହୋଇପାରି ନ ଥିବାରୁ ପୁଟୀଗା, ରାଜପୁର, ବାଞ୍ଜିପଦର ଗ୍ରାମବାସୀଙ୍କ ପାଇଁ ବସୁଧା ଯୋଜନା ଅପହଞ୍ଚ ହୋଇ ରହିଛି। ବିଶେଷ ଭାବେ ପୁଟିଗାଁରେ ଲୋକଙ୍କ ଘରକୁ ଘର ପାଇପ ସଂଯୋଗ ହୋଇଥିଲେ ହେଁ ପାଣି ଆସୁ ନ ଥିବା ଗ୍ରାମର ମନୋଜ କୁମାର ସାହୁ ଅଭିଯୋଗ କରିଛନ୍ତି। ଉକ୍ତ ପ୍ରକଳ୍ପ ୨୦୨୪ ଜୁଲାଇରେ ସମ୍ପୂର୍ଣ୍ଣ ହେବାକୁ ନିୟମ ରହିଥିବାବେଳେ ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷପାରୁ ନାହିଁ। ଏ ନେଇ କର୍ଲାମୁଣ୍ଡା ବ୍ଲକ ଦାୟିତ୍ୱରେ ଥିବା ନର୍ଲା ବ୍ଲକ ବିଭାଗୀୟ ଯନ୍ତ୍ରୀ ପ୍ରଭାତ କୁମାର ସେଠୀଙ୍କୁ ପଚାରିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ ହେଉଥିବାକୁ ସ୍ବୀକାର କରିବା ସହ ଠିକାଦାରଙ୍କ ବିଲ୍ ପାଇବାରେ ବିଳମ୍ବ ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କମ ଦିନ ଭିତରେ ପୁଟିଗାଁ ସମସ୍ୟାକୁ ସମାଧାନ କରାଯିବା ସହିତ ରାଜପୁର ପଞ୍ଚାୟତରେ ମଧ୍ୟ ବକେୟା ଥିବା କାର୍ଯ୍ୟକୁ ଶୀଘ୍ର ସାରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।