ପାଟନା,୩୦ା୧: ବିହାରର ବୈଶାଳୀରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସୁରକ୍ଷିତ ରାସ୍ତା ନ ପାଇ କ୍ରୋଧିତ ମହାଦଳିତ ପରିବାର ରାସ୍ତାରେ ଜଣେ ବୃଦ୍ଧା ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଜିଲ୍ଲାର ଗୋରାଉଲ ଥାନା ଅଞ୍ଚଳ ଅନ୍ତର୍ଗତ ସୋନ୍ଧୋ ମୁବାରକପୁର ମାଞ୍ଝି ଟୋଲାରେ ଘଟିଛି।
ଏଠାରେ ଥିବା ମହାଦଳିତ ପରିବାରଗୁଡ଼ିକର ସୁରକ୍ଷିତ ରାସ୍ତା ପାଇଁ କୌଣସି ସୁବିଧା ନାହିଁ। ଦୋକାନୀମାନେ ରାସ୍ତା ଜବରଦଖଲ କରିଛନ୍ତି । ବୃଦ୍ଧା ମହିଳାଙ୍କ ମୃତ୍ୟୁ ପରେ ମହାଦଳିତ ପରିବାର ତାଙ୍କୁ ଶେଷକୃତ୍ୟ ପାଇଁ ନେବାକୁ ପଡିଲା, କିନ୍ତୁ ସେମାନେ କୌଣସି ଉପାୟ ପାଇଲେ ନାହିଁ। କ୍ରୋଧିତ ପରିବାର ରାସ୍ତାରେ କାଠ ସଜାଡ଼ି ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।
ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ବୃଦ୍ଧା ମହିଳାଙ୍କ ମୃତ୍ୟୁ ପରେ ଯେତେବେଳେ ପରିବାର ଶବଦାହ କରିବାକୁ ଯାଉଥିଲେ, ସେତେବେଳେ ଦୋକାନୀମାନେ ରାସ୍ତା ଛାଡିବାକୁ ମନା କରିଦେଇଥିଲେ । ଯେତେବେଳେ ପରିବାର ମୃତଦେହ ନେଇ ଆଗକୁ ବଢ଼ିବାକୁ ଚେଷ୍ଟା କଲେ, ଦୋକାନୀମାନେ ସେମାନଙ୍କୁ ରାସ୍ତା ଦେବାକୁ ମନା କରିଦେଲେ। ଶେଷରେ ପରିବାର ଏବଂ ଗ୍ରାମବାସୀ ବୃଦ୍ଧା ମହାଦଳିତ ମହିଳାଙ୍କ ଶବକୁ ରାସ୍ତାରେ ହିଁ ଦାହ କରିଥିଲେ।
ରାସ୍ତାରେ ମୃତଦେହ ପୋଡ଼ିଯିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ସୂଚନା ପାଇ ପୋଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀର ସହାୟତାରେ ପୋଲିସ ନିଆଁ ଲିଭାଇ ରାସ୍ତା ସଫା କରିଥିଲା। ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।