ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ କମ ଦଳ ବିପକ୍ଷରେ ବୈଭବ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୩୨ ବଲରେ ଅର୍ଦ୍ଧଶତକ ଏବଂ ୫୫ ବଲରେ ଶତକ ହାସଲ କରିଥିଲେ।
ଦ୍ୱିଶତକ ଆଡ଼କୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ବୈଭବଙ୍କୁ ୧୭୫ ରନରେ ଅଟକାଇ ଦିଆଯାଇଥିଲା। ସେ ଏହି ଇନିଂସ ୮୦ ବଲରେ ଖେଳିଥିଲେ। ଏହି ସମୟରେ ସେ ୧୫ ଚୌକା ଏବଂ ସମାନ ଛକା ମାରିଥିଲେ। ଏହା ସହିତ ବୈଭବ କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ରେକର୍ଡ ହାସଲ କରିଥିଲେ। ସେ ୧୯ ବର୍ଷରୁ କମ ବିଶ୍ୱକପରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିଥିବା ବ୍ୟାଟସମ୍ୟାନ ହୋଇଥିଲେ।
୧୯ ବର୍ଷରୁ କମ ବିଶ୍ୱକପରେ ଗୋଟିଏ ଇନିଂସରେ ସର୍ବାଧିକ ଛକା
୧୫: ବୈଭବ ସୂର୍ଯ୍ୟବଂଶୀ (ଭାରତ) ବନାମ ଇଂଲଣ୍ଡ, ହରାରେ, ୨୦୨୬
୧୨: ମାଇକେଲ ହିଲ (ଅଷ୍ଟ୍ରେଲିଆ) ବନାମ ନାମିବିଆ, ପେନାଙ୍ଗ, ୨୦୦୮
୧୧: କ୍ରେଗ ସିମନ୍ସ (ଅଷ୍ଟ୍ରେଲିଆ) ବନାମ କେନିଆନ୍ସ, ଡୁନେଡିନ, ୨୦୦୨
ସୂର୍ଯ୍ୟବଂଶୀ ଏବେ ଏକ ଯୁବ ଦିନିକିଆ ଇନିଂସରେ ଯେକୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ ଛକା ମାରିବାର ରେକର୍ଡ ରଖିଛନ୍ତି। ସେ ଡିସେମ୍ବରରେ ICCA ଦୁବାଇରେ UAE ଅଣ୍ଡର-୧୯ ବିପକ୍ଷରେ ୧୪ ଛକାର ନିଜ ରେକର୍ଡ ଭାଙ୍ଗିଥିଲେ। ସେ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଶତକ ହାସଲ କରିଥିବା ତୃତୀୟ ଭାରତୀୟ ଏବଂ ୧୫୦ ରୁ ଅଧିକ ରନ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ।