‘ଅଗଷ୍ଟ ସୁଦ୍ଧା ୩୦ କୋଟିଙ୍କୁ ଟିକା’

ନୂଆଦିଲ୍ଲୀ, ୧।୧୨: ୨୦୨୧ ଅଗଷ୍ଟ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର କହିଛନ୍ତି। ଆଗାମୀ ୪ ମାସ ମଧ୍ୟରେ ଭାରତରେ ଟିକା ଉପଲବ୍ଧ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିଲାଗି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଚାଲିଛି। ତେବେ ଟିକା ନ ଆସିବା ଯାଏ ମହାମାରୀ କରୋନାଠାରୁ ନିଜକୁ ଦୂରେଇ ରଖିବା ଲାଗି ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ କରିବା, ହାତ ସାନିଟାଇଜ୍‌ କରିବା ନିହାତି ଜରୁରୀ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମତ ଦେଇଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ସାରା ବିଶ୍ୱରେ ଭାରତର ଆରୋଗ୍ୟ ହାର ବେଶି।