Categories: ଅନୁଗୋଳ

୨୪ କେନ୍ଦ୍ରରେ ଆଜିଠୁ ପିଲାଙ୍କୁ ଟିକା

ଅନୁଗୋଳ ଅଫିସ,୩ା୧:  ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ କୋଭିଡ୍‌ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଟିକାକରଣକୁ ଶୃଙ୍ଖଳିତ ଭାବେ ପରିଚାଳନା ନିମନ୍ତେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଜିଲାରେ ମୋଟ୍‌ ୨୪ଟି କେନ୍ଦ୍ର ପ୍ରସ୍ତୁତ ହୋଇଥିବା ବେଳେ ସକାଳ ୮ରୁ ଅପରାହ୍ନ ୧ଟା ଯାଏ ଟିକା ଦିଆଯିବ। ପଞ୍ଜୀକରଣ କରି ନ ଥିବା ଛାତ୍ରୀଛାତ୍ରମାନେ ଆଧାରକାର୍ଡ କିମ୍ବା ସ୍କୁଲ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ। ଅନୁଗୋଳ ପୌରପାଳିକା ଅଞ୍ଚଳର ଛାତ୍ରୀଛାତ୍ରମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ, ଅନୁଗୋଳ ବ୍ଲକ ପାଇଁ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପୁରୁଣାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବଅଁରପାଳ ବ୍ଲକ ପାଇଁ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବଳାରାମପ୍ରସାଦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଛେଣ୍ଡିପଦା ବ୍ଲକ ପାଇଁ କୋଶଳା ଓ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜରପଡ଼ା ଓ ପାତ୍ରପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପାଲଲହଡ଼ା ବ୍ଲକ ପାଇଁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରଜଡଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଳୟ, କିଶୋରନଗର ବ୍ଲକ ପାଇଁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଆଠମଲ୍ଲିକ ବ୍ଲକ ପାଇଁ ଉପଖଣ୍ଡ ଚିକିତ୍ସାଳୟ, ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ତାଳଚେର ବ୍ଲକ ପାଇଁ ନେହେରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟ, ଗୋଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କଳମଛୁଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ତାଳଚେର ପୌରାଞ୍ଚଳ ପାଇଁ ଉପଖଣ୍ଡ ଚିକିତ୍ସାଳୟ, କଣିହଁା ବ୍ଲକ ପାଇଁ କଣିହଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବଜ୍ରକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି।