ସରକାରଙ୍କ ବଡ଼ ଉପହାର; ଅଧା ହେଲା ବିଜୁଳି ଦର

ଲକ୍ଷ୍ନୌ,୭।୧: ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଖୁସି କଲାଭଳି ଘୋଷଣା ଉତ୍ତରପ୍ରଦେଶ ସରକାର କରିଛନ୍ତି। ବିଦ୍ୟୁତ୍‌ ଦର ୫୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କେବଳ ସାଧାରଣ ଗ୍ରାହକ ନୁହନ୍ତି, ବରଂ ରାଜ୍ୟର କୃଷକମାନେ ମଧ୍ୟ ଏହାର ଲାଭ ପାଇବେ। ଏନେଇ ଶୁକ୍ରବାର ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ଟୁଇଟ୍‌ କରି ବିସ୍ତୃତ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ୟୁପି ସିଏମ କାର୍ଯ୍ୟାଳୟ ଗୁରୁବାର ଦିନ ଏକ ଟୁଇଟ୍‌ କରି କହିଛି ଯେ ଚାଷୀଙ୍କ ସୁବିଧା ତଥା ସମୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ତ୍ତମାନର ହାର ତୁଳନାରେ ଘରୋଇ ନଳକୂପ ପାଇଁ ବିଦ୍ୟୁତ୍‌ ଦରରେ ୫୦ ପ୍ରତିଶତ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ’ ରାଜ୍ୟ ସରକାରଙ୍କ ମୁଖପାତ୍ରଙ୍କ ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ମାସରୁ ହିଁ ଲାଗୁ ହେବ ଏବଂ ଏହା ରାଜ୍ୟର ୧୩ ଲକ୍ଷ ଚାଷୀଙ୍କୁ ସିଧାସଳଖ ଉପକୃତ କରିବ।

କହିରଖୁଛୁ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମାଗଣା ଏବଂ ଶସ୍ତା ବିଦ୍ୟୁତ୍‌ ସମ୍ବନ୍ଧରେ ଘୋଷଣାଆରମ୍ଭ ହୋଇଛି। ଦଳ ସରକାର ଗଢ଼ିଲେ ଘରୋଇ ଗ୍ରାହକଙ୍କୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ୍‌ ଯୋଗାଇ ଦେବାକୁ ସମାଜବାଦୀ ପାର୍ଟି ଏବଂ ଆମ ଆଦମୀ ପାର୍ଟି ପ୍ରତିଶୃତି ଦେଇଛନ୍ତି।