Categories: ଖେଳ

ବଲ୍‌ରେ ସାଲିଭା ବ୍ୟବହାର କରିଥିଲେ ଉଥାପ୍ପା

ଦୁବାଇ, ୨ା୧୦ (ପି.ଟି.)-ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ମଧ୍ୟରେ ବୁଧବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର କୋଭିଡ୍‌-୧୯ ପ୍ରୋଟୋକଲ ଉଲ୍ଲଂଘନ କରାଯାଇଛି। ମ୍ୟାଚ୍‌ ବେଳେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ବଲ୍‌ରେ ସାଲିଭା (ଛେପ)ବ୍ୟବହାର କରିଥିବା ଲକ୍ଷ୍ୟ କରାଯାଇଥିଲା। ମ୍ୟାଚର ତୃତୀୟ ଓଭର ୫ମ ବଲ୍‌ରେ ସୁନୀଲ ନାରିନ୍‌ଙ୍କ ଏକ କ୍ୟାଚ ଡ୍ରପ୍‌ କରିବା ପରେ ମିଡ୍‌ ଅନ୍‌ ଅଞ୍ଚଳରେ ବଲ୍‌ ସଂଗ୍ରହ କରିବା ପରେ ଉଥପ୍ପା ବଲ୍‌ରେ ସାଲିଭା ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଥିଲା। ଏହାର ଏକ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ବଲ୍‌କୁ ଚକ୍‌ଚକ୍‌ କରିବା କ୍ଷେତ୍ରରେ ସାଲିଭା ବ୍ୟବହାର ଉପରେ କଟକଣା ଗତ ଜୁନ୍‌ରୁ ଲାଗୁ କରାଯାଇଛି। ନୂଆ ନିୟମ ସହିତ ଅଭ୍ୟସ୍ତ ନ ଥିବାରୁ ଯଦି ଜଣେ ଖେଳାଳି ସାଲିଭା ବ୍ୟବହାର କରେ ତେବେ ଅମ୍ପାୟର ତାଙ୍କୁ ମନେ ପକାଇ ଦେବେ। ଏହାର ପୁନରାବୃତ୍ତି ଦେଖିବାକୁ ମିଳିଲେ ଟିମ୍‌କୁ ଚେତାବନୀ ଦିଆଯିବ। ଖେଳର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସଓପି)ରେ ଏହା ଉଲ୍ଲେଖ ରହିଛି। ଦୁଇଥର ଚେତାବନୀ ପରେ ଏହି ଭୁଲ୍‌ କଲେ ୫ରନ ପେନାଲ୍ଟିର ବ୍ୟବସ୍ଥା ରହିଛି। ଯେତେବେଳେ ବଲ୍‌ରେ ସାଲିବା ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିବ ସେତେବେଳେ ଖେଳ ପୂର୍ବରୁ ବଲ୍‌କୁ ପରିଷ୍କାର କରିବା ଲାଗି ଅମ୍ପାୟର ନିର୍ଦ୍ଦେଶ ଦେବେ।

Share