ରୁଷିଆ-ୟୁକ୍ରେନ୍‌ ଶାନ୍ତି ଚୁକ୍ତି ନେଇ ସ୍ପଷ୍ଟ ସଙ୍କେତ ନ ମିଳିଲେ ମଧ୍ୟସ୍ଥତାରୁ ଓହରିଯିବ ଆମେରିକା

ପ୍ୟାରିସ୍‌,୧୯ା୪:ପ୍ୟାରିସ୍‌ରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାଙ୍କ ସହ ବୈଠକ ପରେ ରୁବିଓ କହିଛନ୍ତି, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଶେଷ ପାଇଁ ଆମେରିକା ଆଉ ଅନେକ ସପ୍ତାହ ଓ ମାସ ଧରି ଉଦ୍ୟମ ଜାରି ରଖିବ ନାହିଁ। ତେଣୁ ବର୍ତ୍ତମାନ ଜରୁରୀ ଭିତ୍ତିରେ ସବୁକିଛି ନିର୍ଦ୍ଧାରଣ କରିବାକୁ ପଡ଼ିବ। ରାଷ୍ଟ୍ରପତି ଟ୍ରମ୍ପ୍‌ ଶାନ୍ତି ଚୁକ୍ତି ନିମନ୍ତେ ବହୁ ସମୟ ଦେଲେଣି। ଏଥିରେ ବିଳମ୍ବ ହେଉଥିବାରୁ ସେ କ୍ଷୁବ୍ଧ। ଏହା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବାସ୍ତବରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି, ଯାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକତା ରହିଛି। ରୁବିଓଙ୍କ ଏହି ଚେତାବନୀ ଏଭଳି ସମୟରେ ଆସିଛି, ଯେତେବେଳେ କି ୟୁକ୍ରେନ୍‌ ସହ ଆମେରିକାର ଆଲୋଚନାରେ କିଛିଟା ଅଗ୍ରଗତି ପରିଲକ୍ଷିତ ହୋଇଛି।
ଗୁରୁବାର ଟ୍ରମ୍ପ୍‌ କହିଥିଲେ, ଆସନ୍ତା ସପ୍ତାହରେ କିଭ୍‌ ସହ ଡିଲ୍‌ ହେବା ନେଇ ସେ ଆଶାବାଦୀ, ଯାହାକି ୟୁକ୍ରେନ୍‌ର ମିନେରାଲ୍ସ (ଖଣିଜ ସମ୍ପଦ) ପାଇବା ପାଇଁ ଆମେରିକାକୁ ସୁଯୋଗ ଦେବ। ଏହା ପୂର୍ବରୁ ଫେବୃଆରୀରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଓ୍ବାଶିଂଟନ୍‌ ଗସ୍ତ କରିଥିଲେ। ସେତେବେଳେ ହ୍ବାଇଟ୍‌ ହାଉସ୍‌ର ଓଭାଲ ଅଫିସରେ ଆମେରିକା ପ୍ରତିପକ୍ଷ ଟ୍ରମ୍ପ୍‌ ଓ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ଓଲଟା ଜେଲେନ୍‌ସ୍କି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କରୁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଥିଲା।
ଟ୍ରମ୍ପ୍‌ଙ୍କ ଶାନ୍ତି ଉଦ୍ୟମ ଉପରେ ପ୍ୟାରିସ୍‌ରେ ହୋଇଥିବା ଉଚ୍ଚସ୍ତରୀୟ ଆଲୋଚନାରେ ୟୁରୋପୀୟ ଶକ୍ତିମାନେ ମଧ୍ୟ ସାମିଲ ହୋଇଥିଲେ। ବୈଠକରେ ରୁବିଓ କହିଥିଲେ, ଶାନ୍ତି ପାଇଁ ଆମେରିକା ପକ୍ଷରୁ ପ୍ରସ୍ତୁତ ରୂପରେଖ ‘ଉତ୍ସାହଜନକ ଗ୍ରହଣୀୟତା’ ହାସଲ କରିଛି। ଜେଲେନ୍‌ସ୍କିଙ୍କ ଅଫିସ ଆଲୋଚନାକୁ ଗଠନମୂଳକ ଓ ସକାରାମତ୍କ ବୋଲି ଅଭିହିତ କରିଛି। ଅନ୍ୟପକ୍ଷେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସମାଧାନ କରାଯିବାକୁ ଥିବା ଭୂରାଜନୈତିକ ଚ୍ୟାଲେଞ୍ଜଗୁଡ଼ିକୁ ଉପଯୁକ୍ତ ସମ୍ମାନ ମିଳୁ ନ ଥିବାରୁ ରୁବିଓଙ୍କ ଉପରୋକ୍ତ ମନ୍ତବ୍ୟକୁ ନୈରାଶ୍ୟର ପ୍ରତିଫଳନ ବୋଲି ମନେକରାଯାଉଛି। ଆସନ୍ତା କିଛିଦିନ ମଧ୍ୟରେ ଲଣ୍ଡନରେ ଏକ ଅନୁରୂପ ବୈଠକ ହେବ ବୋଲି ଫ୍ରାନ୍ସର ଅଧିକାରୀମାନେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଶେଷ ପାଇଁ ଟ୍ରମ୍ପ୍‌ ପ୍ରଶାସନର ଅନେକ ଉଦ୍ୟମ ପରେ ମଧ୍ୟ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଅସ୍ତ୍ରବିରତି ସଫଳ ହୋଇପାରି ନାହିଁ। ଟ୍ରମ୍ପ୍‌ଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ୟୁକ୍ରେନ୍‌ର ସମର୍ଥନ ମିଳିଥିଲେ ମଧ୍ୟ ମସ୍କୋ ଏହାକୁ ବିରୋଧ କରିଆସିଛି। ୟୁକ୍ରେନ୍‌ର ସାମରିକ କାର୍ଯ୍ୟକଳାପ ଏବଂ ପାଶ୍ଚାତ୍ୟର ଅସ୍ତ୍ର ଯୋଗାଣ ବନ୍ଦ ହେଲେ ଅସ୍ତ୍ରବିରତି ସମ୍ଭବ ବୋଲି ମସ୍କୋ ଯୁକ୍ତି ବାଢ଼ିଛି। ତେବେ ରୁଷିଆର ଏଭଳି ଦାବିକୁ ୟୁକ୍ରେନ୍‌ ପ୍ରତ୍ୟାଖ୍ୟାନ କରିଛି।