ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ‘ବୋର୍ଡ ଅଫ ପିସ’ରେ ଯୋଗଦେବା ପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯାହା ଫଳରେ ଆମେରିକାର ରାଷ୍ଟ୍ରପତି ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି।
ଇମାନୁଏଲ ମାକ୍ରୋନ ଶାନ୍ତି ବୋର୍ଡରେ ଯୋଗ ନଦେବାର ସମ୍ଭାବନା ବିଷୟରେ ପଚରାଯିବାରୁ ଟ୍ରମ୍ପ ଉତ୍ତର ଦେଇଥିଲେ, ‘ମାକ୍ରୋନ କହିଥିଲେ କି ସେ ଯୋଗ ଦେବେ ନାହିଁ? ହଁ, କେହି ତାଙ୍କୁ ଯୋଗ ଦେବାକୁ ଚାହାଁନ୍ତି ନାହିଁ କାରଣ ସେ ଖୁବ ଶୀଘ୍ର କାର୍ଯ୍ୟାଳୟ ଛାଡି ଦେଉଛନ୍ତି। ଯଦି ମୁଁ ତାଙ୍କ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରେ, ତେବେ ସେ ଯୋଗ ଦେବେ, କିନ୍ତୁ ତାଙ୍କୁ ଯୋଗ ଦେବାର କୌଣସି ଆବଶ୍ୟକତା ନାହିଁ।’
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଗଠିତ ଶାନ୍ତି ବୋର୍ଡ ଯୁଦ୍ଧ ପରେ ଗାଜାରେ ଶାନ୍ତି, ପୁନଃନିର୍ମାଣ ଏବଂ ସ୍ଥିରତା ଆଣିବା ପାଇଁ ପ୍ରତିଷ୍ଠିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଗାଜା ପାଇଁ ଏକ ଅସ୍ଥାୟୀ ପାଲେଷ୍ଟାଇନୀ ପ୍ରଶାସନକୁ ସମର୍ଥନ କରିବା, ମାନବିକ ସହାୟତା ପରିଚାଳନା କରିବା ଏବଂ ସଂଘର୍ଷ ପରବର୍ତ୍ତୀ ଶାସନ ତଦାରଖ କରିବା। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ମଧ୍ୟ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ତଥାପି, ଉଭୟ ପକ୍ଷ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି ଯେ ସେମାନେ ଯୋଗ ଦେବେ କି ନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ବର୍ତ୍ତମାନ ଗ୍ରୀନଲାଣ୍ଡକୁ ନେଇ ମୁହାଁମୁହିଁ ଅଛନ୍ତି। ଟ୍ରମ୍ପ ଗ୍ରୀନଲାଣ୍ଡର ନିୟନ୍ତ୍ରଣ ଚାହାଁନ୍ତି, ଏବଂ ଆଠଟି ୟୁରୋପୀୟ ଦେଶ ଏହାକୁ ଖୋଲାଖୋଲି ବିରୋଧ କରିଛନ୍ତି। ଫଳସ୍ବରୂପ, ଟ୍ରମ୍ପ ଏହି ଦେଶଗୁଡ଼ିକ ଉପରେ ୧୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ସେ ଏହାକୁ ବୃଦ୍ଧି କରିପାରିବେ। ୧୦ ପ୍ରତିଶତ ଶୁଳ୍କ ଆସନ୍ତା ମାସରୁ ଲାଗୁ ହେବ। ଟ୍ରମ୍ପ ମାକ୍ରନଙ୍କ ଏକ ବ୍ୟକ୍ତିଗତ ବାର୍ତ୍ତା ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ଫ୍ରାନ୍ସ ରାଷ୍ଟ୍ରପତି ତାଙ୍କୁ କହିଛନ୍ତି ଯେ ସେ ଇରାନ ଏବଂ ସିରିଆ ପ୍ରସଙ୍ଗରେ ତାଙ୍କ ସହିତ ସହମତ, କିନ୍ତୁ ସେ ବୁଝିପାରୁନାହାଁନ୍ତି ଯେ ଟ୍ରମ୍ପ ଗ୍ରୀନଲାଣ୍ଡରେ କ’ଣ କରୁଛନ୍ତି।
Dharitri – The Largest & Most Trusted Odia Daily