ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର (NCTC) ର ନିର୍ଦ୍ଦେଶକ ଜୋ କେଣ୍ଟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଇସ୍ରାଏଲ ଏବଂ ଏହାର ଶକ୍ତିଶାଳୀ ଆମେରିକୀୟ ଲବିର ଚାପରେ ଆସି ଆମେରିକା ଏହି ଅନାବଶ୍ୟକ ଯୁଦ୍ଧ ଆରମ୍ଭ କରିଛି ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି।
ମଙ୍ଗଳବାର ନିଜର ଇସ୍ତଫା ପତ୍ର ପ୍ରଦାନ କରି କେଣ୍ଟ କହିଛନ୍ତି ଯେ, ସେ “ନିଜ ଅନ୍ତରାତ୍ମାର ବିରୋଧରେ ଯାଇ” ଇରାନ ବିରୋଧୀ ସାମରିକ ଅଭିଯାନକୁ ସମର୍ଥନ କରିପାରିବେ ନାହିଁ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, “ଇରାନ ଆମ ଦେଶ ପାଇଁ କୌଣସି ପ୍ରତ୍ୟକ୍ଷ ବିପଦ ନଥିଲା। ଏହା ସ୍ପଷ୍ଟ ଯେ ଆମେ କେବଳ ଇସ୍ରାଏଲର ଚାପରେ ଏହି ଯୁଦ୍ଧ ଆରମ୍ଭ କରିଛୁ।”
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଲେଖିଥିବା ଏକ ପତ୍ରରେ କେଣ୍ଟ କହିଛନ୍ତି ଯେ ସେ ଟ୍ରମ୍ପଙ୍କ ନୀତିକୁ ସମର୍ଥନ କରନ୍ତି, କିନ୍ତୁ ଇରାନ ଉପରେ ଆକ୍ରମଣ ନିଷ୍ପତ୍ତି ସହ ସେ ଏକମତ ନୁହନ୍ତି। ସେ ଲେଖିଛନ୍ତି, “ମୁଁ ପ୍ରାର୍ଥନା କରୁଛି ଯେ ଆପଣ ଅନୁଭବ କରନ୍ତୁ ଆମେ ଇରାନରେ କ’ଣ କରୁଛୁ ଏବଂ କାହା ପାଇଁ କରୁଛୁ। ଆପଣଙ୍କ ପାଖରେ ସୁଯୋଗ ଅଛି, ଆପଣ ନିଜର ନିଷ୍ପତ୍ତି ବଦଳାଇ ଦେଶକୁ ବିପର୍ଯ୍ୟୟରୁ ରକ୍ଷା କରନ୍ତୁ।”
ଏହାର କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଥିଲେ ଯେ ଇସ୍ରାଏଲ ଉପରେ ଇରାନ ପ୍ରଥମେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା, ତେଣୁ ସେ ଇସ୍ରାଏଲକୁ ଆକ୍ରମଣ ପାଇଁ ବାଧ୍ୟ କରିଥିଲେ। ଟ୍ରମ୍ପ ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ “ପ୍ରି-ଏମ୍ପଟିଭ୍” ବା ଆଗୁଆ ପ୍ରତିକାର ବୋଲି ଦର୍ଶାଇଥିଲେ।