୩ୟ ଦିନରେ ଆମେରିକା ଶଟ୍‌ଡାଉନ୍‌

ଓ୍ବାଶିଂଟନ୍‌,୪ା୧୦: ଆମେରିକାରେ ସଂଘୀୟ ବିତ୍ତୀୟ ବର୍ଷ ଅକ୍ଟୋବର ୧ରେ ଆରମ୍ଭ ହୋଇଥାଏ। ଏହା ପୂର୍ବରୁ ସେଠାକାର ପାର୍ଲାମେଣ୍ଟ (କଂଗ୍ରେସ) ସରକାର ପରିଚାଳନା ପାଇଁ ପାଣ୍ଠି ଯୋଗାଣ ସକାଶେ ଆପ୍ରୋପ୍ରିଏଶନ୍‌ ବିଲ୍‌ ବା କଣ୍ଟିନ୍ୟୁଏଶନ୍‌ ରିଜୋଲ୍ୟୁଶନ୍‌ (ସିଆର୍‌) ଗୃହୀତ କରାଇବା ଜରୁରୀ। ତେବେ ସେପ୍ଟେମ୍ବର ୩୦ ମଧ୍ୟରାତ୍ରି ସୁଦ୍ଧା କଂଗ୍ରେସ ଏଥିରେ ବିଫଳ ହୋଇଥିବାରୁ ଅକ୍ଟୋବର ୧ ରାତି ୧୨ଟା ୧ ମିନିଟ୍‌ରୁ ସଂଘୀୟ ସରକାର ଶଟ୍‌ଡାଉନକୁ ଚାଲିଯାଇଛି। ଶାସକ ରିପବ୍ଲିକାନ୍‌ ଓ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ମଧ୍ୟରେ କେତେକ ପ୍ରସଙ୍ଗକୁ ନେଇ ମତଭେଦ ଯୋଗୁ ଏହି ଅଚଳାବସ୍ଥା ଉପୁଜିଛି। ଫଳରେ ସରକାରୀ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇଯାଇଛି। ବିଶେଷକରି ଅଣଜରୁରୀ ସେବା, ଋଣ ପ୍ରଦାନ ଓ ପୋଷଣ ସହାୟତା ଭଳି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ସରକାରୀ କର୍ମଚାରୀମାନଙ୍କ ଦରମା ବନ୍ଦ ହୋଇଯାଇଥିବାରୁ ସେମାନେ ଘରେ ବସିଛନ୍ତି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଛଟେଇ ପାଇଁ ଯୋଜନା କରିଛନ୍ତି।
ଶଟ୍‌ଡାଉନର ତୃତୀୟ ଦିନ ଶୁକ୍ରବାର ସିନେଟରମାନେ ସରକାରୀ ଫଣ୍ଡିଂ ଉପରେ ଆଉ ଥରେ ମତଦାନ ପାଇଁ କ୍ୟାପିଟୋଲ୍‌କୁ ଯାଇଥିଲେ। କିନ୍ତୁ ଅଚଳାବସ୍ଥା ଦୂର କରିବା ଦିଗରେ ଅଗ୍ରଗତିର କୌଣସି ସଙ୍କେତ ଦେଖିବାକୁ ମିଳିନାହିଁ। କଂଗ୍ରେସ ସ୍ବାସ୍ଥ୍ୟସେବା ସୁବିଧା ଜାରି ରଖୁ ବୋଲି ଡେମୋକ୍ରାଟ୍ସ ଦାବି କରୁଥିବାବେଳେ ରିପବ୍ଲିକାନ୍ସ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଯଦିଓ ହ୍ବାଇଟ୍‌ ହାଉସ୍‌ ଏବଂ କଂଗ୍ରେସର ଉଭୟ ସଦନକୁ ରିପବ୍ଲିକାନ୍ସ ନିୟନ୍ତ୍ରଣ କରୁଛନ୍ତି, ତଥାପି ସିନେଟ୍‌ର ନିୟମାନୁସାରେ ସରକାରୀ ଫଣ୍ଡିଂ ଆଇନ ପାରିତ ହେବା ଲାଗି ୧୦୦ ସିନେଟରଙ୍କ ମଧ୍ୟରୁ ଅନୂ୍ୟନ ୬୦ ଜଣଙ୍କ ସମର୍ଥନ ଜରୁରୀ। ଏଭଳି ସ୍ଥିତିରେ ଡେମୋକ୍ରାଟ୍‌ମାନଙ୍କୁ ସେମାନଙ୍କ ୪୭ ସିନେଟ୍‌ ସିଟ୍‌ ବ୍ୟବହାର ପାଇଁ ଏକ ବିରଳ ସୁଯୋଗ ପ୍ରଦାନ କରିଛି। ହ୍ବାଇଟ୍‌ ହାଉସ୍‌ ବଜେଟ୍‌ ଡାଇରେକ୍ଟର ରସ୍‌ ଭୋଉଟ୍‌ କହିଛନ୍ତି, ଟ୍ରମ୍ପ୍‌ ପ୍ରଶାସନ ଶିକାଗୋ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପାଇଁ ୨.୧ ବିଲିୟନ୍‌ ଡଲାର ପ୍ରଦାନ ପ୍ରସ୍ତାବକୁ ସ୍ଥଗିତ ରଖିବ। ଏଥିଯୋଗୁ ସହରର ବହୁପ୍ରତୀକ୍ଷିତ ରେଡ୍‌ ଲାଇନ୍‌ ଟ୍ରେନ୍‌ ଯୋଜନା ପ୍ରଭାବିତ ହେବ। ସେହିପରି ନ୍ୟୁୟର୍କ ଭିତ୍ତିଭୂମି ବିକାଶ ପାଇଁ ଉଦ୍ଦିଷ୍ଟ ୧୮ ବିଲିୟନ୍‌ ଡଲାର ଫଣ୍ଡିଂକୁ ମଧ୍ୟ ସ୍ଥଗିତ ରଖାଯାଇଥିବାରୁ ହୁଡ୍‌ସନ୍‌ ନଦୀରେ ନୂଆ ରେଳ ଟନେଲ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି।