ଆମେରିକା ପଠାଇଲା ୧୨ହଜାର ସୈନ୍ୟ

ଓ୍ବାଶିଂଟନ୍‌,୧୨।୩: ୧୭ଦିନ ହେଲାଣି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ କ୍ୱିଭ୍‌କୁ କବ୍‌ଜା କରିବା ଲାଗି ରୁଷୀୟ ସୈନ୍ୟଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସକାଳେ ରାଜଧାନୀରେ ରୁଷିଆ ସୈନ୍ୟମାନେ ଲଗାତର ବୋମା ମାଡ଼ କରିଛନ୍ତି। ସେହିପରି ସକାଳୁ ଓଡେସାରେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ୟୁକ୍ରେନର ଲୁଟସ୍କରେ ରୁଷିଆ ସେନା ପକ୍ଷରୁ ହୋଇଥିବା ଗୁଳିବିନିମୟରେ ୪ଜଣ ୟୁକ୍ରେନ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଅନ୍ୟପଟେ ୟୁକ୍ରେନରେ ଆକ୍ରମଣ ପରେ ଆମେରିକା ସହ ପାଶ୍ଚାତ୍ୟ ଦେଶର ନଜର ଏବେ ରୁଷିଆ ଉପରେ ରହିଛି। ବର୍ତ୍ତମାନ ରୁଷିଆକୁ ଘେରାବନ୍ଦୀ କରିବା ପାଇଁ ଆମେରିକା ୧୨ହଜାର ସୈନ୍ୟଙ୍କୁ ପଠାଇଥିବା ଜଣାପଡ଼ିଛି। ଏଥିସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ନାଟୋର ପ୍ରତ୍ୟେକ ଅଞ୍ଚଳର ପ୍ରତ୍ୟେକ ଜମିକୁ ଆମେ ସୁରକ୍ଷା ଦେବୁ। ଏତଦ୍‌ ବ୍ୟତୀତ ୟୁକ୍ରେନରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ନ ହେବା ଉପରେ ବାଇଡେନ ଜୋର ଦେଇଛନ୍ତି।