ଓ୍ବାଶିଂଟନ,୨୩।୧୦: ଆମେରିକା ଏବଂ ରୁଷିଆ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୁଧବାର (୨୨ ଅକ୍ଟୋବର) ସେ ଦୁଇଟି ପ୍ରମୁଖ ରୁଷୀୟ ତୈଳ କମ୍ପାନୀକୁ ନିଷେଧ କରିଛନ୍ତି। ଏହି ପଦକ୍ଷେପ ନେଇ ଟ୍ରମ୍ପ ସିଧାସଳଖ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ପଦକ୍ଷେପକୁ ରୁଷିଆ ଉପରେ ଚାପ ବୃଦ୍ଧି କରିବାର ଏକ ଉପାୟ ଭାବରେ ଦେଖାଯାଉଛି। ଟ୍ରମ୍ପ ୟୁକ୍ରେନ ଯୁଦ୍ଧକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଆମେରିକା ରୁଷିଆର ରୋସନେଫ୍ଟ ଏବଂ ଲୁକୋଇଲ କମ୍ପାନୀକୁ ବ୍ୟାନ୍ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ଏହି ଦୁଇଟି କମ୍ପାନୀରୁ ତେଲ କିଣେ। ବର୍ତ୍ତମାନ ଏହି ବ୍ୟାନ୍ ଭାରତ ଉପରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ। ରଏଟର୍ସ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ କହିଛନ୍ତି, “ମୁଁ ପ୍ରତ୍ୟେକ ଥର ଭ୍ଲାଡ଼ିମିର ପୁଟିନଙ୍କ ସହ କଥା ହୁଏ। ଆଲୋଚନା ଭଲ ହେଉଛି, କିନ୍ତୁ ଏହା ଆଗକୁ ବଢ଼େ ନାହିଁ।”
ରାଷ୍ଟ୍ରପତି ଟ୍ରମ୍ପ ହ୍ବାଇଟ ହାଉସରେ ପୁଟିନଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, “ସେ ଶାନ୍ତି ପ୍ରତି ଆଦୌ ଗମ୍ଭୀର ନୁହଁନ୍ତି। ତଥାପି ନୂତନ ପ୍ରତିବନ୍ଧକ ସମାଧାନର ବାଟ ଦେଖାଇବ। ଆମେ ବହୁତ ଦିନ ଅପେକ୍ଷା କରିଛୁ, କିନ୍ତୁ ସମୟ ଆସିଯାଇଛି।” ଟ୍ରମ୍ପ ବହୁତ ଦିନ ଧରି ରୁଷିଆ ବିରୁଦ୍ଧରେ ବୟାନ ଦେଇ ଆସୁଛନ୍ତି। ସେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଟ୍ରମ୍ପ ଚାହାନ୍ତି ନାହିଁ ଯେ ଭାରତ ରୁଷିଆଠାରୁ ତେଲ କିଣୁ। କାରଣ ଏହି ଟଙ୍କାକୁ ରୁଷିଆ ୟୁକ୍ରେନ ବିରୋଧ ଯୁଦ୍ଧରେ ଖର୍ଚ୍ଚ କରୁଛି।
ଭାରତ ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ ପ୍ରତିଦିନ ପ୍ରାୟ ୧.୭୩ ନିୟୁତ ବ୍ୟାରେଲ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କରିଥିଲା। ଏହା ଭାରତର ମୋଟ ତୈଳ ଆମଦାନୀର ଏକ ତୃତୀୟାଂଶ, ଯେତେବେଳେ କି ପୂର୍ବରୁ ଭାରତ ରୁଷିଆରୁ କମ ତେଲ ଆମଦାନୀ କରୁଥିଲା। ଭାରତ ଏପର୍ଯ୍ୟନ୍ତ ରୁଷିଆଠାରୁ ତେଲ କିଣିବା ନେଇ ସ୍ପଷ୍ଟ ଦୃଷ୍ଟିକୋଣ ବଜାୟ ରଖିଛି। ଏହା ନିଜ ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯାଇଛି। ତଥାପି ରୁଷିଆ କମ୍ପାନୀ ଉପରେ ନିଷେଧାଦେଶ ଏବେ ଭାରତକୁ ମଧ୍ୟ ପ୍ରଭାବିତ କରିପାରେ।