ଭାରତୀୟଙ୍କ ସମେତ ୫୦ ସଂସ୍ଥା ଉପରେ କଟକଣା ଲଗାଇଲା ଆମେରିକା

ଓ୍ବାଶିଂଟନ,୧୧ା୧୦: ଇରାନ ଉପରେ ସର୍ବାଧିକ ଅର୍ଥନୈତିକ ଚାପ ପକାଇବା ପାଇଁ ଆମେରିକା ଭାରତୀୟ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ସମେତ ବିଭିନ୍ନ ଦେଶର ମୋଟ ୫୦ଟି ସଂସ୍ଥା ଓ ଜାହାଜ ଉପରେ କଟକଣା ଲଗାଇଛି। ଏହିସବୁ ସଂସ୍ଥା ଇରାନ ସହ ତୈଳ, ପେଟ୍ରୋଲିୟମ ଉତ୍ପାଦ ଓ ପେଟ୍ରୋକେମିକାଲ ବାଣିଜ୍ୟ କାରବାରରେ ସାମିଲ ଥିଲେ ବୋଲି ଆମେରିକା ପରରାଷ୍ଟ୍ର ବିଭାଗ କହିଛି। ଏହି ସଂସ୍ଥାଗୁଡ଼ିକ ଇରାନରୁ ବହୁ ବିଲିୟନ ଡଲାର ମୂଲ୍ୟର ପେଟ୍ରୋଲିୟମ୍‌ ଏବଂ ପେଟ୍ରୋକେମିକାଲ କିଣୁଥିଲେ। ଇରାନ ଆତଙ୍କବାଦୀ କାର୍ଯ୍ୟରେ ଏହି ପାଣ୍ଠି ବିନିଯୋଗ କରୁଥିବାରୁ ଏହା ଉପରେ ଅତ୍ୟଧିକ ଆର୍ଥତ୍କ ଚାପ ପକାଇବା ଏହି କଟକଣାର ଉଦ୍ଦେଶ୍ୟ। ଆମେରିକା ଅର୍ଥ ବିଭାଗର ଅଫିସ ଅଫ୍‌ ଫରେନ୍‌ ଆସେଟ୍ସ କଣ୍ଟ୍ରୋଲ (ଓଏଫ୍‌ଏସି) ୩ ଭାରତୀୟ ବ୍ୟକ୍ତିବିଶେଷଙ୍କ ଉପରେ କଟକଣା ଲଗାଇଛି। ସେମାନେ ହେଲେ ବରୁନ୍‌ ପୁଲା, ସୋନିୟା ଶ୍ରେଷ୍ଠ ଏବଂ ଇୟାପ୍ପାନ ରାଜା। ବରୁନ୍‌ଙ୍କର ବେର୍ଥା ଶିପିଂ କମ୍ପାନୀ କୋମୋରୋସ୍‌ର ଜାହାଜକୁ ଅପରେଟ୍‌ କରିଥାଏ। ଉକ୍ତ ଜାହାଜରେ ଚାଇନାକୁ ୪ ନିୟୁତ ବ୍ୟାରେଲ୍‌ ଇରାନୀୟ ଏଲ୍‌ପିଜି ପରିବହନ କରାଯାଇଛି। ଇୟାପ୍ପାନ ରାଜାଙ୍କ ଏଭି ଲାଇନ୍ସ କମ୍ପାନୀ ପାନାମାର ଏକ ଜାହାଜକୁ ପରିଚାଳନା କରିଥାଏ। ଉକ୍ତ ଜାହାଜ ଗତ ଏପ୍ରିଲରୁ ଚାଇନାକୁ ୧ ନିୟୁତ ବ୍ୟାରେଲ୍‌ ଇରାନୀୟ ଏଲ୍‌ପିଜି ପରିବହନ କରିଥିବା ଜଣାପଡ଼ିଛି। ସୋନିୟା ଶ୍ରେଷ୍ଠାଙ୍କ ମାଲିକାନାରେ ଭାରତରେ ଭେଗା ଷ୍ଟାର ଶିପ୍‌ ମ୍ୟାନେଜମେଣ୍ଟ ପ୍ରା.ଲିଃ ରହିଛି। ଏହି କମ୍ପାନୀ କୋମୋରୋସ୍‌ର ନେପ୍‌ଟା ଜାହାଜ ପରିଚାଳନା କରିଥାଏ, ଯେଉଁଥିରେ ଇରାନରୁ ପାକିସ୍ତାନକୁ ଏଲ୍‌ପିଜି ପରିବହନ ହେଉଥିଲା।